କନ୍ଧମାଳ ସନ୍ତାନ

Breaking News

SCBରେ ୯ଟି ଏକ୍‌ମୋ ମେସିନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ଏହା ପୂର୍ବ ଭାରତର ସବୁଠାରୁ ବଡ ଏକ୍‌ମୋ ୟୁନିଟ୍……‌

ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ – ମୁଖ୍ୟମନ୍ତ୍ରୀ
ସଂପୂର୍ଣ୍ଣ ମାଗଣା ଏକ୍‌ମୋ ଚିକିତ୍ସା ଦେବାରେ ସରକାରୀ ଭାବରେ ଏହା ଦେଶରେ ପ୍ରଥମ ଓ ସର୍ବବୃହତ I
ପିଲାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ I
କନ୍ଧମାଳ ସନ୍ତାନ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକର ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସ୍ଥାପିତ ହୋଇଥିବା ୯ଟି ଏକ୍‌ମୋ ମେସିନକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି I ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ସ୍ଥାପିତ ହୋଇଥିବା ଏକ୍‌ମୋ ମେସିନ ଗୁଡିକୁ ବୁଲି ଦେଖିଥିଲେ I
ସୂଚନାଯୋଗ୍ୟ ଯେ ଏହା ସମଗ୍ର ପୂର୍ବ ଭାରତରେ ସବୁଠାରୁ ବଡ ଏକ୍‌ମୋ ୟୁନିଟ୍ ଏବଂ ଏକ୍‌ମୋ ଭଳି ବ୍ୟୟ ବହୁଳ ଚିକିତ୍ସା ବିନା ଖର୍ଚ୍ଚରେ ଯୋଗାଇବାରେ ସମଗ୍ର ଦେଶରେ ସରକାର ସ୍ତରରେ ପ୍ରଥମ ଓ ସର୍ବବୃହତ I ଏଥିପାଇଁ ଅଭିଜ୍ଞ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯାଇଛି I
କଟକରେ ଏହି ସୁବିଧା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ I ଏହା ଦ୍ବାରା ରୋଗୀ ଓ ସେମାନଙ୍କ ପରିବାର ଉନ୍ନତ ଚିକିତ୍ସା ଓ ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ବସ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି I ଜୀବନ ରକ୍ଷାରେ ଏହି ସେବା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ I
କରୋନାର ଦ୍ବିତୀୟ ଲହରୀରେ ଫୁସଫୁସ ରୋଗରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କ ପାଇଁ ଏକ୍‌ମୋ ମେସିନ୍‌ ଏକ ଜୀବନ ରକ୍ଷାକାରୀ ବ୍ୟବସ୍ଥା I ଓଡିଶାରେ ଏହି ସୁବିଧା ବିଶେଷ ନ ଥିବାରୁ, ଗୁରୁତର ରୋଗୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା I ବର୍ତ୍ତମାନ ଏହି ସୁବିଧା କଟକରେ ସରକାରୀ ଭାବରେ ଉପଲବ୍‌ଧ ହେବାରୁ ଅନେକ ରୋଗୀ ଉପକୃତ ହୋଇପାରିବେ I
ଦ୍ବିତୀୟ ଲହରର ସ୍ମୃତିକୁ କଷ୍ଟଦାୟକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନାର ଦ୍ବିତୀୟ ଲହର ସାରା ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଗୁଆ ଯୋଜନା ଓ ଉପଯୁକ୍ତ ପରିଚାଳନା ଯୋଗୁ ଓଡିଶାରେ ଆମେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛୁ I ବିଶେଷଜ୍ଞମାନେ ତୃତୀୟ ଲହରୀର ସମ୍ଭାବନା ଏବଂ ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ କରୁଥିବାରୁ, ରାଜ୍ୟ ସରକାର ଜିଲ୍ଲାସ୍ତରରେ କୋଭିଡ ହସ୍‌ପିଟାଲ ଗୁଡିକରେ ଶିଶୁ ଚିକିତ୍ସା ଉପରେ ଗୁରୁତ୍ବ ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି I
ଆମ ପିଲାମାନେ ଯେପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ, ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ I ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନର ନିୟମଗୁଡିକୁ କୋହଳ କରାଯାଇଥିଲେ ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି I ତେଣୁ ଜନସାଧାରଣ ମାସ୍କ ପିନ୍ଧିବା ସହିତ, ହାତ ଧୋଇବା, ଭିଡରୁ ଦୂରରେ ରହିବା ଆଦି ସମସ୍ତ କୋଭିଡ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ I
ସୂଚନାଯୋଗ୍ୟ ଯେ ଘରୋଇ ଡାକ୍ତରଖାନାରେ ଏକ୍ ମୋ ଚିକିତ୍ସା ପାଇଁ ସର୍ବନିମ୍ନ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥାବା ସ୍ଥଳ ବିଶେଷରେ ଏହା ଆହୁରି ବୃଦ୍ଧି ପାଇଥାଏ I ତେଣୁ ସରକାରୀ ସ୍ତରରେ ଏହି ଉନ୍ନତ ଚିକିତ୍ସା ସୁବିଧା ଗରିବ ତଥା ମଧ୍ୟ ବିତ୍ତ ଲୋକଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ଵୋଲି ଆଶା କରାଯାଏ I
କଟକୁ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ଓ ଏହାର ଦୁଇପାର୍ଶ୍ବର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ I ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ I
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକଗଣ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ I

Related news

Skip to toolbar