କନ୍ଧମାଳ ସନ୍ତାନ

Breaking News

୫୦ ବର୍ଷ ଶିକ୍ଷା ଦାନର ଅନ୍ତ ଘଟିଲା, ହେଲେ ରହିଗଲା ଶିକ୍ଷାଦାନର ଛାପ…

ପରଲୋକରେ ଶିକ୍ଷାବିତ ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟର ଟାଣୁଆ ନେତା ନଳିନୀ କାନ୍ତ ନାୟକ….
କନ୍ଧମାଳ ସନ୍ତାନ(ବ୍ୟୁର): ଦୀର୍ଘ ୫୦ ବର୍ଷ ଶିକ୍ଷା ଦାନର ଅନ୍ତ ଘଟିଲା I ହେଲେ ଛାଡି ଗଲେ ଗରିବ, ଦଳିତ, ସଂଖ୍ୟା ଲଘୁ ଏବଂ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିବା ଶିକ୍ଷାର ଛାପ I ଆମ ଗହଣରେ ଆଉ ନାହାନ୍ତି ନଳିନୀ ସାର I ଗତକାଲି ରାତ୍ରିରେ ୭୩ ବର୍ଷ ବୟସରେ ଚିରନିଦ୍ରାରର ଶୋଇ ପଡିଲେ ସମସ୍ତଙ୍କର ଆତି ପ୍ରିୟ ଶିକ୍ଷାବିତ ନଳିନୀ କାନ୍ତ ନାୟକ I ସୂଚନା ଅନୁସାରେ ଶ୍ରୀ ନଳିନୀ କାନ୍ତ ନାୟକ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ରାଇକଲା ଗ୍ରାମପଞ୍ଚାୟତର ରାଇକଲା ଗ୍ରାମ ଠାରେ ୨୫-୧୨-୧୯୪୯ରେ ଜନ୍ମଗ୍ରହଣ କରି ଥିଲେ I ତା ପରେ ଗୁଡ୍ରିପଡ଼ି ଖ୍ରୀଷ୍ଟିୟାନ ମିଶନ ଛାତ୍ରାବାସ ଏବଂ ହବାକ ଉଚ୍ଚ ବିଦ୍ୟାଳୟରୁ ପ୍ରି-ୟୁନିଭରସିଟି ଶିକ୍ଷା ଅର୍ଜନ କରି ମିଲମାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ I ଏହା ସହ ମିଲମାନ ଛାତ୍ରାବାସର ସୁପରିଟେଣ୍ଡେଣ୍ଟ ଭାବରେ କାର୍ଯ୍ୟଭାର ମଧ୍ୟ ତୁଲାଇ ଥିଲେ I ଶ୍ରୀ ନଳିନୀକାନ୍ତ ନାୟକ ଜଣେ ନିଷ୍ଠାପର, ପରପୋକାରି, ଧର୍ମପରାୟଣ ବ୍ୟକ୍ତି ଥିଲେ I ତାଙ୍କର ଶିକ୍ଷକତା ଅଧିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଶହଶହ ଛାତ୍ରଛାତ୍ରୀଙ୍କୁ ନୂତନ ଆଶା ଦେଇ ଥିଲା I ଦୀର୍ଘ ୫୦ ବର୍ଷ ଶ୍ରୀ ନଳିନୀ କାନ୍ତ ନାୟକ ଅଧିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଗରିବ, ଦଳିତ, ସଂଖ୍ୟାଲଘୁ ଛତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଥିଲେ I ଶିକ୍ଷକତାରୁ ଅବସର ନେଲା ପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ଜାରି ରଖିଥିଲେ I ନଳିନୀ କାନ୍ତ ନାୟକ ସଂଖ୍ୟା ଲଘୁ ସମ୍ପ୍ରଦାୟର ଜଣେ ଟାଣୁଆ ନେତା, ଶିକ୍ଷାବିତ ଏବଂ ସମସ୍ତ ବର୍ଗର ଅତିପ୍ରିୟ ଥିଲେ I ତାଙ୍କର ମୃତ୍ୟର ଖବର ପ୍ରସାରିତ ହେବା ପରେ ସମଗ୍ର ଅଂଚଳ ଏବଂ ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି I ତାଙ୍କର ବିୟୋଗ ଅଞ୍ଚଳ ବାସିଙ୍କ ପାଇଁ ଅପୁରଣୀୟ କ୍ଷତି ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି I କିଛି ଦିନ ହେବ ଶ୍ରୀ ନଳିକାନ୍ତ ନାୟକ ରୋଗାଗ୍ରସ୍ଥ ଥିଲେ ଏବଂ ଚିକିତ୍ସିତ ହେଉ ଥିଲେ I ଏହା ସହ କୋଭିଡରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ରହି ଚିକିତ୍ସିତ ମଧ୍ୟ ହେଉ ଥିଲେ I ଗତକାଲି ସନ୍ଧ୍ୟା ଅର୍ଥାତ ୧୫/୦୬/୨୦୨୧ରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇ ଥିଲା I ତା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ ସଦର ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ଡାକ୍ତର ମୃତ ଘୋଷଣା କରି ଥିଲେ I ଶ୍ରୀ ନଳିନୀ କାନ୍ତ ନାୟକଙ୍କ ପାର୍ଥିବ ଶରୀର ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସ୍ଥାନୀୟ ପୁଲିସର ସହାୟତାରେ ଜନ୍ମ ମାଟି ରାଇକଲା ଠାରେ ଖ୍ରୀଷ୍ଟିଆନ ରୀତିନୀତିରେ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ସମାଧି ଦିଆଯାଇ ଥିବା ଗୋଷ୍ଠିଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି I ମୃତ୍ୟୁ ବେଳକୁ ଦୁଇ ପୁଅ, ସ୍ତ୍ରୀ ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ I

Related news

Skip to toolbar