କନ୍ଧମାଳ ସନ୍ତାନ

Breaking News

ବ୍ରାହ୍ମଣୀଗାଁ ପୁଲିସକୁ ନିର୍ଘାତିଆ ଛେଚିବା ସହ ପିସିଆର ଭଙ୍ଗାରୁଜା କଲେ ଗ୍ରାମବାସୀ: ଥାନାଧିକାରୀ ଆହତ, ୬ ଗିରଫ

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିନସ୍ଥ ମେରାମାହା ଗ୍ରାମରେ ଏକ ଆଭାବନିୟ ଘଟଣା ଘଟିଛି I ପାଟ୍ରୋଲିଂ (Patroling) କରିବା ସମୟରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କୁ ଶତାଧିକ ମହିଳା ପୁରୁଷ ଅଟକାଇ ନିର୍ଦ୍ଧୁମ ଛେଚି ଥିବା ଘଟଣା ପଦାକୁ ଆସିଛି I

ଦଶହରା ଠାରୁ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୁଆ ଖେଳ ବନ୍ଦ କରିବା ପାଇଁ ପୁଲିସ ଅତର୍କିତ ଚଢାଉ କରି ଜୁଆଡିଙ୍କୁ ଧରୁଥିବା ସମୟରେ ଅନେକ ନିରୀହ ଲୋକ ମଧ୍ୟ ଏଥିରେ ବଳି ପଡୁଥିଲେ। ଏଭଳି ସ୍ଥିତିରେ ଗତକାଲି ମଧ୍ୟ ପ୍ରତିଦିନ ଭଳି ପୁଲିସ ପେଟ୍ରୋଲିଂ (Police Patrolling) କରିବା ପାଇଁ ହାତୀମୁଣ୍ଡା ଅଞ୍ଚଳକୁ ଯାଉଥିଲା I ଏହି ସମୟରେ ମେରାମାହା ଗ୍ରାମରେ ଲୋକେ କୁମାର ପୂର୍ଣ୍ଣିମୀ (Kumar Purnima) ପାଇଁ ଭୋଜି ଭାତ କରିବା ସହ ଜଣେ ଝିଅ ବଡ କନିଆଁ ହୋଇଥିବାରୁ ଭୋଜି କରି ନାଚଗୀତରେ ମସଗୁଲ ରହିଥିଲେ ଗ୍ରାମ ବାସୀ। ହେଲେ ପୁଲିସ ଜୁଆ ଖେଳ ଚାଲିଥିବା ସନ୍ଦେହ କରି ସେଠାରେ ଅତର୍କିତ ଚଢାଉ କରିଥିଲା । 
ଏଥିରେ ମହିଳା ଶିଶୁ ଓ ପୁରୁଷ ଆଘାତ ହୋଇଥିଲେ I ପୁଲିସର ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଈ ମହିଳା ପୁରୁଷ ପୁଲିସ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପୁଲିସ ଭୟରେ ଗାଡି ଛାଡି ପ୍ରାଣବିକଳରେ ଦୌଡି ପଳାଇ ଆସିଥିଲେ I

ଏହି ଆକ୍ରମଣରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଗୁରୁତର ଆହତ ହୋଇଥିବା ବେଳେ ପୁଲିସ ଗାଡିର କାଚ ଭାଙ୍ଗିଯାଇଛି। ରବିବାର ଭୋର ପ୍ରାୟ ୪ଟା ସମୟରେ ପୁଣି ପୁଲିସ ଫୋର୍ସ ମେରାମାହା ଗ୍ରାମରେ ପହଞ୍ଚି ନିରୀହ ମହିଳା ପୁରୁଷଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଗ୍ରାମର ୪ ମହିଳାଙ୍କ ସହ ୨ ପୁରୁଷଙ୍କୁ ଗିରଫ କରି ଆଣି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଥିବା ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି I

ସେପଟେ ଭୋର ସକାଳୁ ପୋଲିସର ଏଭଳି ଅତର୍କିତ ଆକ୍ରମଣରେ ଗ୍ରାମର ଅନେକ ମହିଳା ପୁରୁଷ ଆହତ ହେବା ସହ ଭୟରେ ଗାଁ ଛାଡି ଜଙ୍ଗଲକୁ ପଳାଇ ଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ବାଲିଗୁଡା ଏସଡିପିଓ (Baliguda SDPO) ମାନସ କୁମାର ବାରିକ ଏବଂ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ଫୋର୍ସ ନେଇ ବ୍ରାହ୍ମଣୀଗାଁ ଅଞ୍ଚଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛନ୍ତି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଓ ଆଲୋଚନା ସହ ଆଲୋଡନ ସୃଷ୍ଟି ହୋଇଛି I ପୁଲିସର ଏହି ପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି I

Related news

Skip to toolbar