କନ୍ଧମାଳ ସନ୍ତାନ

Breaking News

‘ବ୍ୟକ୍ତି ଊର୍ଦ୍ଧ୍ଵରେ ଫକୀରମୋହନ ଥିଲେ ଓଡ଼ିଆ ଭାଷା ଓ ଜାତିର ଏକ ବିରାଟ ସାରସ୍ୱତ ଅନୁଷ୍ଠାନ’

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆଜି ପୂର୍ବାହ୍ଣରେ ‘ଫକୀରମୋହନଙ୍କ ଅନନ୍ୟ କୃତି ଛମାଣ ଆଠଗୁଣ୍ଠ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ଅଧ୍ୟକ୍ଷ ପ୍ରଫେସର୍ ସୁଧାଂଶୁ ଶେଖର ମେହେରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ମୁଖ୍ୟ ଆଲୋଚକ ରୂପେ ଯୋଗଦେଇ ଫକୀରମୋହନଙ୍କ ଶ୍ରେଷ୍ଠ ସାରସ୍ୱତ କୃତି ଛ’ମାଣ ଆଠଗୁଣ୍ଠ ଉପନ୍ୟାସର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l

ଛ’ ମାଣ ଆଠଗୁଣ୍ଠ ଉପନ୍ୟାସ ସାମାଜିକ, ସାଂସ୍କୃତିକ, ଆର୍ଥନୀତିକ ଓ ଧର୍ମୀୟ ଦିଗ ବିଷୟରେ ଉଲ୍ଲେଖ କରିବା ସଂଗେ ସଂଗେ ମୁଖ୍ୟ ଆଲୋଚକ ଡ. ଓଝା କହିଥିଲେ, ଫକୀରମୋହନ କେବଳ ଜଣେ ସାରସ୍ୱତ ବ୍ୟକ୍ତିତ୍ୱ ନ ଥିଲେ, ସେ ଥିଲେ ଓଡ଼ିଆ ଭାଷା ଓ ଜାତିର ଏକ ବିରାଟ ସାରସ୍ୱତ ଅନୁଷ୍ଠାନ l ଆଧୁନିକ ସମାଲୋଚନା ଧାରାରେ ଫକୀର ମୋହନଙ୍କ କଥାକୃତିର ଅନୁଶୀଳନ ଆବଶ୍ୟକ ଏବଂ ଏ ଦିଗରେ ଆଗାମୀ ପିଢ଼ିର ଗବେଷକମାନେ ପ୍ରୟାସ କରିବା ଆବଶ୍ୟକ ବୋଲି ଡ. ଓଝା ମତବ୍ୟକ୍ତ କରିଥିଲେ l

ବିଭାଗୀୟ ମୁଖ୍ୟା ଅଧ୍ୟାପିକା ସୁପ୍ରିୟା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ଡ. ନଳିନୀ କୁମାର ପାଣିଗ୍ରାହୀ ବିଷୟ-ସୂଚନା ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ଅଧ୍ୟାପିକା ସବିତା ଟୁଡୁ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଅଧ୍ୟାପିକା ମାମିନା ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ମହାବିଦ୍ୟାଳୟର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବର୍ଷ ଓଡ଼ିଆ ସମ୍ମାନ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Related news

Skip to toolbar