କନ୍ଧମାଳ ସନ୍ତାନ

Breaking News

ବ୍ରାହ୍ମଣୀଗାଁ ସଵଷ୍ଟେସନ ଅଞ୍ଚଳରେ ଦୀର୍ଘ ଦିନ ହେଲା ଲାଗିରହିଛି ବିଦ୍ୟୁତ ବିଭ୍ରାଟ, ହନ୍ତସନ୍ତ ଉପଭୋକ୍ତା ଓ ବିଦ୍ୟାର୍ଥୀ ……..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସାଵଷ୍ଟେସନ ଅଞ୍ଚଳରେ ଦୀର୍ଘ ଦିନ ହେଲାଣି ବିଦ୍ୟୁତ ବିଭ୍ରାଟ ଲାଗିରହୁଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । କେତେବେଳେ ଯେ ଏହା ଆନ୍ଦୋଳନର ରୂପ ନେବ ତାହା କହିହେବନାହିଁ । ବ୍ରାହ୍ମଣୀଗାଁ ସମେତ ଅଞ୍ଚଳର ଆଠଗୋଟି ପଞ୍ଚାୟତ କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡ଼ା, ଗଦାପୁର, ହତିମୁଣ୍ଡା, ତାଜୁଙ୍ଗିଆ ଓ ସାରାମୁଳି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ଅଧିକ ସଂଖ୍ୟାରେ ବିପିଏଲ ଉପଭୋକ୍ତା ଅଛନ୍ତି । ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବାର ଲକ୍ଷ ନେଇ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଥିବା ବେଳେ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ଅନଲାଇନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ବିଦ୍ୟାର୍ଥୀମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଉଚ୍ଚ ଶିକ୍ଷା ପାଇଁ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଆବେଦନ କରାଯାଉଛି । ହେଲେ ଦୁଃଖର ବିଷୟ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଅନେକ ବିଦ୍ୟାର୍ଥୀ ହଇରାଣ ହେବା ସହ ଅଧିକ ଖର୍ଚ୍ଚ।ନ୍ତ ହେଉଥିବା ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିନକୁ ଦିନ ବିଦ୍ୟୁତ ବିଲ ବଢୁଥିବା ବେଳେ ସେହି ଅନୁପାତରେ ସେବା ମିଳୁନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଦ୍ୟୁତ ସହ ନେଟୱାର୍କର ସାମଞ୍ଜସ୍ୟ ରହୁଥିବାରୁ ବିଦ୍ୟୁତ ଚାଲିଗଲେ ନେଟୱାର୍କ ମଧ୍ୟ ରହୁନାହିଁ । ଫଳରେ ଅନଲାଇନର ସମସ୍ତ କାର୍ଯ୍ୟ ତଥା ବ୍ୟାଙ୍କ ତହସିଲ ଆଦି କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଓଡ଼ିଶା ବିଦ୍ୟୁତ ବିଭାଗ ଏକ ଘରୋଇ ସଂସ୍ଥା ଟାଟାକୁ ହସ୍ତାନ୍ତର କରିବା ପରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତ ହୋଇଥିବା ବେଳେ, କମ୍ପାନୀ ଗାଡ଼ିଧରି କର୍ମଚାରୀମାନେ ଘନ ଘନ ବୁଲୁଥିବା ଦେଖିବାକୁ ମିଳୁଛି । କିନ୍ତୁ ବିଦ୍ୟୁତ ଚାଲିଗଲେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବାକୁ ପଡୁଛି । କର୍ମଚାରୀମାନଙ୍କୁ ପଚାରିଲେ ଅସନ୍ତୋଷ ଉତ୍ତର ମିଳୁଛି । ୧୧କେଭି ଵାଲା କହୁଛନ୍ତି ୩୩କେଭି ଲାଇନ ଖରାପ ଅଛି । ୩୩କେଭି ବଲାଙ୍କୁ ପଚାରିଲେ ଆମଲାଇନ ଠିକ ଅଛି ୧୧କେଭି ବଲାଙ୍କୁ ପଚାରନ୍ତୁ । ବ୍ରାହ୍ମଣୀଗାଁକୁ ଗଜପତି ଜିଲ୍ଲାର ମହନା ଠାରୁ ବିଦ୍ୟୁତ ଆସିଥିବା ବେଳେ ସମ୍ପୃକ୍ତ ଏସଡ଼ିଓ କିମ୍ବା ଯନ୍ତ୍ରୀଙ୍କୁ ମୋବାଇଲ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇପାରିନାହିଁ । ଗତ କିଛି ଦିନ ହେଲା ବ୍ରାହ୍ମଣୀଗାଁ ରାତ୍ରୀ ସମୟରେ ବିଦ୍ୟୁତ ରହୁ ନ ଥିବା ବେଳେ ଦିନବେଳେ ମଧ୍ୟ ସଠିକ ଭାବେ ବିଦ୍ୟୁତ ସେବା ମିଳୁନାହିଁ l ଦିନରେ ୨୦ରୁ୩୦ଥର ବିଦ୍ୟୁତ କାଟ ହେଉଥିବାରୁ ଅନେକ କମ୍ପ୍ୟୁଟର, ଟିଭି ଗୁଡ଼ିକ ଖରାପ ହେଉଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ଏ ଗ୍ରେଡ ଲାଇନମେନ ଙ୍କୁ ପଚାରିବାରୁ ଟିମ ଲାଗିଛନ୍ତି ବିଦ୍ୟୁତ ନିଶ୍ଚୟ ଆସିବ ବୋଲି କହିଛନ୍ତି । ହେଲେ କେଉଁ ସମୟରେ ଆସିବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଅଞ୍ଚଳର ବିଦ୍ୟୁତ ସମସ୍ୟାକୁ ସମାଧାନ ନ କଲେ ଜନ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Related news

Skip to toolbar