କନ୍ଧମାଳ ସନ୍ତାନ

Breaking News

ଦିନମଜୁରିଆରୁ ଇଞ୍ଜିନିୟର: ସଂଘର୍ଷର କାହାଣୀ ଲେଖିଲେ ରିଙ୍କୁ, ଦାଦନ ଶ୍ରମିକ ଭାବେ କେରଳ ଯାଇ ସ୍କଲାରସିପ୍‌ରେ ପଢ଼ି ହାସଲ କଲେ ଇଞ୍ଜିନିୟରିଂ ଡିଗ୍ରୀ…

ଦାରିଙ୍ଗବାଡ଼ି(ମାଥିଉ ମୁଠାମାଝି): ପରିବାରର ଆର୍ଥିକ ଅନଟନ ଯୋଗୁଁ ଦିନେ ଦିନମଜୁରି କରିବାକୁ ପଡ଼ିଥିଲା । ଇଟାଭାଟିରେ ଶ୍ରମିକ ଭାବେ କଠିନ ପରିଶ୍ରମ କରୁଥିଲେ । ହେଲେ ମନରେ ଥିଲା ଉଚ୍ଚଶିକ୍ଷା ହାସଲ କରିବାର ଦୃଢ଼ ସ୍ୱପ୍ନ । ଶେଷରେ ଦୃଢ଼ ଇଚ୍ଛାଶକ୍ତି, ଅକ୍ଲାନ୍ତ ପରିଶ୍ରମ ଓ ମିଳିଥିବା ସୁଯୋଗର ସଦୁପଯୋଗ କରି ଦିନମଜୁରିଆରୁ ଇଞ୍ଜିନିୟର ହୋଇ ନୂଆ ପରିଚୟ ସୃଷ୍ଟି କରିଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ରିଙ୍କୁ ଉଠାନ ସିଂ (୨୭) । ଦାରିଙ୍ଗବାଡ଼ି ବ୍ଲକ୍‌ ସରାମୂଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଡ଼ିପଦର ଗ୍ରାମ ମାଟିପୋଡ଼ା ସାହିର ରିଙ୍କୁଙ୍କ ଜୀବନ ସଂଘର୍ଷ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପାଞ୍ଚ ବର୍ଷ ପୂର୍ବେ ଦାଦନ ଶ୍ରମିକ ଭାବେ କେରଳ ଯାଇ ଇଟାଭାଟିରେ କାମ କରୁଥିବା ରିଙ୍କୁ ଆଜି ଇଞ୍ଜିନିୟରିଂ ସ୍ନାତକ ହୋଇଛନ୍ତି । ରିଙ୍କୁଙ୍କ ପରିବାର ଆର୍ଥିକ ଭାବେ ଦୁର୍ବଳ । କୃଷିକାର୍ଯ୍ୟ ଓ ବିଭିନ୍ନ ଦିନମଜୁରି କାମ କରି ପରିବାର ଚଳୁଥିଲା । ପିତା ଅଲେଖ ଉଠାନ ସିଂଙ୍କ ମୃତ୍ୟୁ ପରେ ପରିବାର ଆହୁରି ଆର୍ଥିକ ସଙ୍କଟରେ ପଡ଼ିଥିଲା । ଏଭଳି ପରିସ୍ଥିତିରେ ମାଆଙ୍କ କଠିନ ପରିଶ୍ରମ ହିଁ ପରିବାରର ଏକମାତ୍ର ଭରସା ଥିଲା । ରିଙ୍କୁ ପ୍ଲସ୍‌-ଟୁ ପରୀକ୍ଷାରେ ଭଲ ନମ୍ବର ରଖି ସଫଳତା ହାସଲ କରିଥିଲେ । ଉଚ୍ଚଶିକ୍ଷା ହାସଲ କରିବାର ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ଅସୁବିଧା ଯୋଗୁଁ ପାଠପଢ଼ା ଆଗକୁ ନେବା ସମ୍ଭବ ହୋଇନଥିଲା । ଏହି ସମୟରେ ତାଙ୍କ ଦୁଇ ଭାଇ ଜୀବିକା ଅନ୍ୱେଷଣରେ କେରଳ ଯାଇ ଇଟାଭାଟିରେ କାମ କରୁଥିଲେ । ଭାଇମାନଙ୍କ ସହ ରିଙ୍କୁ ମଧ୍ୟ କେରଳ ଯାଇ ଇଟାଭାଟିରେ ଶ୍ରମିକ ଭାବେ କାମ ଆରମ୍ଭ କରିଥିଲେ । ଇଟାଭାଟିରେ ଦିନସାରା କଠିନ ପରିଶ୍ରମ କରୁଥିଲେ ମଧ୍ୟ ରିଙ୍କୁଙ୍କ ମନରୁ ଉଚ୍ଚଶିକ୍ଷାର ସ୍ୱପ୍ନ ଲିଭି ଯାଇନଥିଲା । ତାଙ୍କ ପ୍ଲସ୍‌-ଟୁର ଭଲ ଫଳାଫଳ, ପାଠପଢ଼ା ପ୍ରତି ଆଗ୍ରହ ଓ ପ୍ରତିଭା ଚେମ୍ବେରୀ ବିମଳଜ୍ୟୋତି ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିଲା । ଏହାପରେ କଲେଜ ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ସ୍କଲାରସିପ୍‌ ମାଧ୍ୟମରେ ପାଠପଢ଼ିବାର ସୁଯୋଗ ମିଳିଥିଲା । ରିଙ୍କୁ ଚେମ୍ବେରୀ ବିମଳଜ୍ୟୋତି ଇଞ୍ଜିନିୟରିଂ କଲେଜର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଷ୍ଟ୍ରୁମେଣ୍ଟେସନ୍‌ ଇଞ୍ଜିନିୟରିଂ ବିଭାଗରେ ଅଧ୍ୟୟନ କରିଥିଲେ । ତାଙ୍କୁ ମିଳିଥିବା ଏହି ଅମୂଲ୍ୟ ସୁଯୋଗର ସଦୁପଯୋଗ କରି ସେ ସଫଳତାର ସହ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । କଲେଜରେ ଆୟୋଜିତ ଦୀକ୍ଷାନ୍ତ ସମାରୋହରେ ଥାଲାସେରୀ ଆର୍ଚ୍ଚବିଶପ୍‌ ମାର୍‌ ଜୋସେଫ୍‌ ପାମ୍ପ୍ଲାନିଙ୍କଠାରୁ ରିଙ୍କୁ ତାଙ୍କ ଡିଗ୍ରୀ ସାର୍ଟିଫିକେଟ୍‌ ଗ୍ରହଣ କରିଥିଲେ । ଏହି ଗୌରବମୟ ମୁହୂର୍ତ୍ତରେ ତାଙ୍କ ମାଆ, ଦୁଇ ଭାଇ ଓ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ରିଙ୍କୁ ତାଙ୍କ ସଫଳତାର ଶ୍ରେୟ ଦୁଇ ଭାଇଙ୍କୁ ଦେଇଛନ୍ତି । ଭାଇମାନଙ୍କ ପରିଶ୍ରମ, ତ୍ୟାଗ ଓ ଭଲପାଇବା ତାଙ୍କୁ ଏହି ସଫଳତା ହାସଲ କରିବାରେ ପ୍ରେରଣା ଦେଇଥିବା ସେ କହିଛନ୍ତି । କେବଳ ଡିଗ୍ରୀ ହାସଲ କରିବାରେ ରିଙ୍କୁଙ୍କ ସଫଳତା ସୀମିତ ରହିନାହିଁ । କଲେଜର ପ୍ଲେସମେଣ୍ଟ ଡ୍ରାଇଭ୍‌ ମାଧ୍ୟମରେ ତାଙ୍କୁ ଚେନ୍ନାଇର ଏକ ପ୍ରମୁଖ କମ୍ପାନୀରେ ଚାକିରି ମଧ୍ୟ ମିଳିଛି । ଏକଦା ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିବା ରିଙ୍କୁ ଆଜି ଇଞ୍ଜିନିୟର ହୋଇ ନିଜ ଗାଁ ଆଡ଼ିପଦର ସମେତ ସମଗ୍ର ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି । ତାଙ୍କ ସଫଳତା ପରେ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ।

Related news