ଦାରିଙ୍ଗବାଡ଼ି(ମାଥିଉ ମୁଠାମାଝୀ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ସୋନପୁର ଗ୍ରାମପଞ୍ଚାୟତର ଓଡ଼ିଆ ସାହିରେ ଦୀର୍ଘଦିନ ଧରି କଂକ୍ରିଟ ରାସ୍ତା ନିର୍ମାଣ ହୋଇନଥିବାରୁ ବର୍ଷା ଦିନରେ ଗ୍ରାମବାସୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ଜଳ ଜମିବା ଓ କାଦୁଅ ପଚପଚ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି । ଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ସହ ଶୀଘ୍ର କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ସାହିବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ସୋନପୁର ଗ୍ରାମ ସଦର ମହକୁମାର ଓଡ଼ିଆ ସାହିର ୫ ଓ ୬ ନମ୍ବର ୱାର୍ଡର ତଳସାହି ଏବଂ ଉପରସାହିର ଗାଁ ଦାଣ୍ଡ ରାସ୍ତା ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କଂକ୍ରିଟ ରାସ୍ତାରେ ପରିଣତ ହୋଇପାରିନାହିଁ । ଲଗାଣ ବର୍ଷା ଯୋଗୁଁ ରାସ୍ତାରେ କାଦୁଅ ପଚପଚ ହୋଇଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ପ୍ରାୟ ୮ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଦୁଇ ସାହିର ଲୋକେ ବାରମ୍ବାର ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି । ବିଶେଷକରି ବର୍ଷା ଦିନରେ ଅଙ୍ଗନୱାଡ଼ି ଶିଶୁ, ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ ଓ ମହିଳାମାନେ ଏହି ରାସ୍ତାରେ ଯାତାୟାତ କରିବା ସମୟରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାଦୁଅ ଓ ଜଳ ଜମି ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି । ତେଣୁ ଗାଁ ଦାଣ୍ଡରେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା କରିବା ସହ ଶୀଘ୍ର କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାରିଙ୍ଗବାଡ଼ି ବ୍ଲକ୍ ପ୍ରଶାସନ ଓ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି ।




