କନ୍ଧମାଳ ସନ୍ତାନ

Breaking News

ଟଡାକୁପା ନିକଟରେ ବରଗଛ ଡାଳ ପଡ଼ି ବାଇକ ଦୁର୍ଘଟଣା, ଦୁଇ ଆହତ ଜଣେ ଗୁରୁତର ….

କନ୍ଧମାଳ ସନ୍ତାନ(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଧୀନରେ ଥିବା ଆଡାସିକୁପା ନିକଟ ଟଡାକୁପା ଗ୍ରାମ ପାଖରେ ହଠାତ୍ ଏକ ବିରାଟ ବରଗଛ ଡାଳ ପଡ଼ିବା ଦ୍ବାରା ବେଲକଟି ଗ୍ରାମରୁ ଘୁ.ଉଦୟଗିରି ପଲସର ବାଇକ୍(ଓଡି ୦୭ ଜି ୮୭୫୦)ରେ ଆସୁଥିବା ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି I ରାସ୍ତା କଡ଼ରେ ଥିବା ଏହି ବିରାଟକାୟ ବରଗଛ ଡାଳ ପଡ଼ିବା ଫଳରେ ଘୁ.ଉଦୟଗିରି ଠାରୁ ପାବୁରିଆ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟାତ ସେବା ବନ୍ଦ ରହିଥିଲା । ଯାତାୟାତ ବାଧାପ୍ରାପ୍ତ ହୋଇ ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଥିଲା ।ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ଓ ପୁଲିସ ବାହିନୀକୁ ଯୋଗାଯୋଗ କରିଥିଲେ I କିଛି ସମୟ ପରେ ଘଟଣା ସ୍ଥଳକୁ ଟିକାବାଲି ସ୍ୱାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ପହଞ୍ଚି ଥିଲା କିନ୍ତୁ ଡାଳ ପଡ଼ିଥିବା ଯୋଗୁଁ ଅନ୍ୟ ପାର୍ଶ୍ଵରେ ଅଟକି ରହିଥିଲା । ସେପଟେ ଅଗ୍ନିଶମ ବିଭାଗ ଅଧିକାରୀ ମନୋରଞ୍ଜନ ପାଢୀଙ୍କ ନେତୃତ୍ୱରେ ଦଳ ପହଞ୍ଚି ଆହତ ୩ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଦୁର୍ଘଟଣା ରେ ଚନ୍ଦନ ପ୍ରଧାନ(୨୩) ଓ ସରୋଜ ପ୍ରଧାନ(୨୦) ସାମାନ୍ୟ ଆହତ ହୋଇଥିବା ବେଳେ ରିଙ୍କୁ ପ୍ରଧାନ ଗୁରୁତର ଆହତ ହେବା ସହ ଗୋଡ଼ ଓ ହାତର ଆଙ୍ଗୁଠି ଭାଙ୍ଗିଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କ ଘର ବେଲକଟି ଅଞ୍ଚଳରେ ହୋଇଥିବା ବେଳେ ସେମାନେ କୌଣସି କାମରେ ଘୁ ଉଦୟଗିରି ଯାଉଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ କୌଣସି ପବନ କିମ୍ବା ଝଡ ତୋଫାନ ନ ଥାଇ ବରଗଛ ଡାଳ ପଡ଼ିବା ଫଳରେ ବାଇକ ଆରୋହୀ ମାନେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖଣା କହିଛନ୍ତି । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଅଞ୍ଚଳର ସହ ସହ ଲୋକେ ଏକତ୍ରିତ ହୋଇ ଆହତଙ୍କ ପରିବାରକୁ ସୂଚନା ଦେଇଥିଲେ ଓ ପରିବାର ଲୋକେ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ଆମ୍ବୁଲାନ୍ସ ଦ୍ବାରା ଫୁଲବାଣୀ ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ସ୍ଥାନୀୟ ଅଞ୍ଚଳ ବାସିଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ଅବରୋଧ କରିଥିବା ଗଛ ଡାଳ କାଟି ରାସ୍ତା ସଫା କରିଥିଲେ । ଦୁର୍ଘଟଣା ବିଷୟରେ ଘୁ. ଉଦୟଗିରି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରି ଯାତାୟାତ ସ୍ଵାଭାବିକ କରିଥିବା ଦେଖିବାକୁ ମିଳିଛି ।

Related news

Skip to toolbar