କନ୍ଧମାଳ ସନ୍ତାନ

Breaking News

ମଣ୍ଡାସରୁ ଠାରେ ଥିବା ମାଁ ମେରୀଙ୍କ ପ୍ରତିମୂର୍ତ୍ତି ସୁରକ୍ଷାକୁ ନେଇ ବନବିଭାଗ ଓ ସଂଖ୍ୟା ଲଘୁ ଖ୍ରୀଷ୍ଟୟାନ ସମ୍ପ୍ରଦାୟ ମୁହାଁମୁହିଁ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମଣ୍ଡାସରୁ ଠାରେ ଥିବା ମାଁ ମେରୀଙ୍କ ପ୍ରତିମୂର୍ତ୍ତି ସୁରକ୍ଷାକୁ ନେଇ ବନବିଭାଗ ଓ ସଂଖ୍ୟା ଲଘୁ ଖ୍ରୀଷ୍ଟୟାନ ସମ୍ପ୍ରଦାୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଠି ହୋଇଛି I କ୍ୟାଥଲିକ ଚର୍ଚ୍ଚ ପଛ ପଟ ସବୁଜ ବନାନୀରେ ପରିପୂର୍ଣ୍ଣ ପାହାଡ଼ ଜଙ୍ଗଲର ସୁନ୍ଦର ପରିବେଶରେ ପୂର୍ବପୁରୁଷରୁ ଅର୍ଥାତ ବ୍ରିଟିଶ ଶାସନ ସମୟରୁ ହିଁ ମାଁ ମେରୀ ପୂଜା ପାଉଛନ୍ତି I ସ୍ଥାନୀୟ ବାସୀନ୍ଧାଙ୍କ ସୂଚନା ଅନୁସାରେ ୧୯୦୨ରେ ଏମଏସଏଫଏସ ମିଶନାରୀ ସଂସ୍ଥା ଦ୍ୱରା ଦଳିତ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ବିକାଶର ଧାରା ପହଞ୍ଚାଇବା ପାଇଁ ସେଣ୍ଟ ଭିନିସେଣ୍ଟ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ I ବିଦ୍ୟାଳୟ ସ୍ଥାପନ ହେବା ଦିନ ଠାରୁ ସେଣ୍ଟ ଭିନିସେଣ୍ଟ ବିଦ୍ୟାଳୟ, ମଣ୍ଡାସରୁ ଠାରେ ଅନାଥ ଓ ଅର୍ଥନୈତିକ ଅନାଗ୍ରସର ବର୍ଗର ଛାତ୍ରଛାତ୍ରୀ ଶିକ୍ଷା ଅର୍ଜନ କରି ଆଜି ସରକାରୀ, ବେସରକାରୀ ଓ ରାଜନୈତିକ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛନ୍ତି I ସ୍ଥାନୀୟ ବାସୀନ୍ଧାଙ୍କ ଧର୍ମ ବିଶ୍ୱାସକୁ ଗୁରୁତ୍ୱ ଦେଇ ବର୍ଷ ବର୍ଷ ଧରି ମାଁ ମେରୀଙ୍କ ପୂଜା ସ୍ଥଳରେ ୧୯୭୧ ମସିହାରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ତରଫରୁ ମାଁ ମେରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଯାଇ ଥିଲା I ମାଁ ମେରୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ମଣ୍ଡାସରୁକୁ ଦେଶ ବିଦେଶରୁ ଭକ୍ତଙ୍କ ଭିଡ଼ ଲାଗି ରହୁ ଥିଲା I ଯାହା ଦ୍ୱାରା ମଣ୍ଡାସରୁର ସୁନ୍ଦର ମନୋରମ ଦୃଶ୍ୟ ଲୋକାଲୋଚନକୁ ଆସି ଥିଲା I ସେହି ସୁନ୍ଦର ପରିବେଶକୁ ଲକ୍ଷ୍ୟ କରି ବନବିଭାଗ ଦ୍ଵାରା ଆଜକୁ ୧୨ ବର୍ଷ ତଳେ ନିର୍ମାଣ ହେଲା ପର୍ଯ୍ୟଟନ ସ୍ଥଳୀ I ମଣ୍ଡାସରୁକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକାଶ କରିବା ପୂର୍ବରୁ ପ୍ରଶାସନ, ଅଞ୍ଚଳ ବାସୀ ଓ ମାଁ ମେରୀଙ୍କ ଭକ୍ତଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇ ଥିଲା I

ଅଞ୍ଚଳବାସୀଙ୍କ ସମସ୍ତ ଦାବୀରେ ପ୍ରଶାସନ ରାଜୀ ହେବା ପରେ ମଣ୍ଡାସରୁକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକାଶ କରିବାର କାର୍ଯ୍ୟ ଆରମ୍ଭ ହୋଇ ଥିଲା I କିନ୍ତୁ ଦୁଃଖର ବିଷୟ ମାଁ ମେରୀଙ୍କ ପ୍ରତିମୂର୍ତ୍ତି ଥିବା ଗୁମ୍ଫା ସାମ୍ନା ଆଜି ଅବହେଳିତ I ମାଁ ମେରୀଙ୍କ ପ୍ରତିମୂର୍ତ୍ତିକୁ ସୁରକ୍ଷା ଦେବା ପାଇଁ ମଣ୍ଡାସରୁ ଅଞ୍ଚଳରେ ଥିବା ୧୨ଟି ମଣ୍ଡଳୀର ସଦସ୍ୟ ଓ ଅଞ୍ଚଳବାସୀ ପ୍ରତିମୂର୍ତ୍ତି ଚତୁଃପାଶ୍ୱର୍ରେ ୧/୧୨/୨୦୨୧ ତାରିଖରେ ତାରବାଡ଼ ଦେଇ ଥିଲେ I ସେହି ତାରବାଡ଼କୁ ବନବିଭାଗ ଭାଙ୍ଗି ଦେଇ ଥିଲେ I ଏହାକୁ ନେଇ ୨୮/୦୩/୨୦୨୨ରିଖରେ ପ୍ରଶାସନ, ସ୍ଥାନୀୟ ବାସୀନ୍ଧାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇ ଥିଲା I ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ପ୍ରଶାସନର ଅନୁମତି କ୍ରମେ ଅଞ୍ଚଳ ବାସୀ ଓ ସଂଖ୍ୟା ଲଘୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ୪/୦୫/୨୦୨୨ରେ ମାଁ ମେରୀଙ୍କ ପ୍ରତିମୂର୍ତ୍ତିକୁ ସୁରକ୍ଷା ଦେବା ସକାଶେ ଷ୍ଟିଲ ରେଲିଂ କରିବାକୁ ଯାଇ ଥିଲେ I

ହେଲେ ସେହି ରେଲିଂ କାମକୁ ଜୋର ଜବରଦସ୍ତ ବନ୍ଦ କରାଯାଇ ଓଲଟି ବନବିଭାଗ ତରଫରୁ ରାଇକିଆ ଥାନାରେ ନିର୍ମାଣ କାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରି ଥିଲେ ସ୍ଥାନୀୟ ରେଞ୍ଜେର I ବନବିଭାଗର ଅଧିକାରୀ ରେଞ୍ଜେର ମିନାକ୍ଷୀ କୁମୁରାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ପକ୍ଷରୁ ଦଫା ୩୨୩, ୨୯୪, ୪୨୭, ୫୦୬, ୩୪ ଆଇପିସିରେ ୭/୦୫/୨୦୨୨ରେ ୫୩/୨୦୨୨ ନଂ ଏକ ମାମଲା ରାଇକିଆ ଥାନାରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧରେ ଦାୟାର ହୋଇ ଥିଲା I ରାଇକିଆ ପୁଲିସ ପକ୍ଷରୁ ଥାନାରେ ହାଜର ହେବା ପାଇଁ ନୋଟିସ ଯାଇଛି I ଯାହା ପାଇଁ ଅଞ୍ଚଳବାସୀ ଭୟରେ ରହୁ ଥିବା ସଂଖ୍ୟା ଲଘୁ ଖ୍ରୀଷ୍ଟୟାନ ସମ୍ପ୍ରଦାୟର ସଦସ୍ୟ କର୍ଣ୍ଣ ନାୟକ କହିଛନ୍ତି I ସଂଖାଲଘୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଅଭିଯୋଗ ଅନୁସାରେ ପର୍ଯ୍ୟଟନ ସ୍ଥଳୀକୁ ଭ୍ରମଣରେ ଆସୁଥିବା କିଛି ଅସାମାଜିକ ବ୍ୟକ୍ତି ମଦ୍ୟପାନ କରୁଥିବା ସହିତ ସେଠାରେ ଛିଡା ହୋଇ ଆପତ୍ତିଜନକ ଫୋଟ ଉଠାଉ ଛନ୍ତି I ଯାହାକୁ ନେଇ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଧର୍ମୀୟ ବିଶ୍ୱାସରେ ଘୋର ଆଘାତ ଲାଗୁଛି I ଯାହାକୁ ନେଇ ଆଜକୁ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ବ ହେବ ମଣ୍ଡାସରୁ ଅଞ୍ଚଳରେ ଥିବା ବିଭିନ୍ନ ମଣ୍ଡଳୀର ଜନସାଧାରଣ ଏକତ୍ରିତ ହୋଇ ବାରମ୍ୱାର ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳୁ ନଥିବା ଦୁଃଖର ସହିତ ଅଞ୍ଚଳ ସଚେତନ ନାଗରିକ ନିରଞ୍ଜନ ପରିଚ୍ଛା ପ୍ରକାଶ କରିଛନ୍ତି I ପ୍ରଶାସନ ତରଫରୁ ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରି ମାଁ ମେରୀଙ୍କ ଗୁମ୍ଫାକୁ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଉପରେ ନିଷେଧ ଜାରୀ କରିବା ସହିତ ତୁରନ୍ତ ତାର ବାଡରେ ଆବଦ୍ଧ କରିବା ପାଇଁ ମିନି ନାୟକ, ନିରଞ୍ଜନ ପରିଚ୍ଛା, କର୍ଣ୍ଣ ନାୟକ, ଚନ୍ଦନ ପରିଚ୍ଛା, ମାଳତୀ ଦିଗାଳ, ନର୍ମଦା ସେନାପତି, ନରେଶ ଦିଗାଳ, ଜ୍ୟୋତି ରାଜ ଦିଗାଳ, ସମ୍ରାଟ ପରିଚ୍ଛା, ଭାଗବନ୍ତ ପରିଚ୍ଛା, ପ୍ରିୟଙ୍କା ପ୍ରଧାନ ଓ ଅଲମିନା ମନ୍ତ୍ରୀ ପ୍ରମୁଖ ଦାବୀ କରିଛନ୍ତି I ମଣ୍ଡାସରୁ ଇକୋ ଟୁରିଜିମ ଦାୟୀତ୍ୱରେ ଥିବା ରେଞ୍ଜେର ସଂଖ୍ୟା ଲଘୁ ଧର୍ମୀୟ ବିଶ୍ଵାସକୁ ବାରମ୍ବାର ଆଘାତ ଦେଉଛନ୍ତି I ରାଇକିଆ ରେଞ୍ଜେର ଜବରଦସ୍ତ ୧/୦୫/୨୦୨୨ ଠାରୁ ୨୧/୦୫/୨୦୨୨ ରିଖ ପର୍ଯ୍ୟନ୍ତ ମାଁ ମେରୀଙ୍କ ପୀଠର ପ୍ରବେଶ ସ୍ଥଳକୁ ଚାବି ପକାଇ ଦେଇ ଥିଲେ I ଯାହା ପାଇଁ ମାଁ ମେରୀଙ୍କ ପୀଠରେ ପୂଜାର୍ଚ୍ଚନା, ପ୍ରାର୍ଥନା ସମ୍ପୂର୍ଣ୍ଣ ବନ୍ଦ ରହି ଥିଲା I ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର I ସରକାର ସଂଖ୍ୟା ଲଘୁଙ୍କ ବିକାଶ, ଧର୍ମୀୟ ଭାବନାର ସୁରକ୍ଷା ଓ ସ୍ୱାର୍ଥ ରକ୍ଷା ନିମନ୍ତେ ଅନେକ ଯୋଜନା କରୁଛନ୍ତି I କିନ୍ତୁ ରାଇକିଆ ରେଞ୍ଜେର ବାହୁବଳ ଓ ସରକାରୀ କଳକୁ ଅପବ୍ୟବହାର କରି ସଂଖ୍ୟା ଲଘୁ ସମ୍ପ୍ରଦାୟର ଧର୍ମୀୟ ବିଶ୍ୱାସକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି I ଯାହାକି ଖୋଲାଖୋଲି ଭାବରେ ମାନବାଧିକାର ଉଲଂଘନ ଓ ଭାରତୀୟ ସମ୍ବିଧାନ ବିରୋଧୀ ବୋଲି ସଚେତନ ନାଗରିକ ନିରଞ୍ଜନ ପରିଚ୍ଛା, ମିନୀ ନାୟକ, ଚନ୍ଦନ ପରିଚ୍ଛା ପ୍ରମୁଖ ମତପ୍ରକାଶ କରିଛନ୍ତି I ରେଞ୍ଜେର ରାଇକିଆ ବିଭିନ୍ନ ପ୍ରକାର ଆମକୁ ଧମକ ଚମକ ଦେଇଛନ୍ତି ବୋଲି ସଚେତନ ନାଗରିକ ତଥା ସଂଖ୍ୟା ଲଘୁ ସମ୍ପ୍ରଦାୟର ସଦସ୍ୟ କର୍ଣ୍ଣ ନାୟକ ଅଭିଯୋଗ କରିଛନ୍ତି I ଯଦି ପ୍ରଶାସନ ଅଞ୍ଚଳ ବାସୀଙ୍କ ଦାବୀ ପ୍ରତି କର୍ଣ୍ଣପାତ ନ କରନ୍ତି ତାହା ହେଲେ ଆଗାମୀ ଦିନରେ ୧୨ଟି ମଣ୍ଡଳୀ ସମେତ ସଂଖ୍ୟା ଲଘୁ ଖ୍ରୀଷ୍ଟୟାନ ସମ୍ପ୍ରଦାୟର ଓ ସମସ୍ତ ସମ୍ପ୍ରଦାୟର ଅଞ୍ଚଳ ବାସୀ ଏକତ୍ରିତ ହୋଇ ରାଜରାସ୍ତାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି I ଘଟଣାକୁ ନେଇ ରାଇକିଆ ରେଞ୍ଜେରଙ୍କ ଫୋନ ଯୋଗେ ମତାମତ ଗ୍ରହଣ କରିଥିଲୁ I ମୋ ଦ୍ୱାରା କିମ୍ବା ବନବିଭାଗ ଦ୍ୱାରା ମାଁ ମେରୀଙ୍କୁ ପୂଜାର୍ଚ୍ଚନା କରିବା ରେ କୌଣସି ପ୍ରତିବନ୍ଧକ ଲଗା ଯାଇ ନାହିଁ ବୋଲି ରାଇକିଆ ରେଞ୍ଜେର ମିନାକ୍ଷୀ କୁମୁରା ପ୍ରତିକ୍ରିୟା ଦେଇଛନ୍ତି I

Related news

Skip to toolbar