କନ୍ଧମାଳ ସନ୍ତାନ

Breaking News

ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, ତଦନ୍ତ ଦାବୀ କଲେ ଅଞ୍ଚଳ ବାସୀ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ.ଏ.ସି ର ପାଞ୍ଚ ନମ୍ବର ୱାର୍ଡ ଅନ୍ତର୍ଗତ ଫରେଷ୍ଟ ଚେକ ଗେଟ ନିକଟରେ ଥିବା କଦଳୀବନ୍ଧର ପୁନଃ ଉଦ୍ଧାର କାର୍ଯ୍ୟ ଅତି ମାନର ହେଉଥିବା ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାର ତଦନ୍ତ ଦାବୀ କରିଛନ୍ତି I ବାଲିଗୁଡା ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୮୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଙ୍କ ଉଦ୍ଧାର, ପାହାଚ ଓ ପୋଖରୀର ଚାରିପାଖରେ ଗାଡ଼ୱାଲ ନିର୍ମାଣ କାର୍ଯ୍ୟ କରାଯାଉଛି I ପରିତାପର ବିଷୟ ଯେ ପୋଖରୀର ପଙ୍କଉଦ୍ଧାର ସମ୍ପୂର୍ଣ୍ଣ ନ ହୋଇ ଠିକାଦାର ମନମାନିକରି ନିଜର ଫାଇଦା ପାଇଁ ଗାଡ଼ୱାଲ ନିର୍ମାଣରେ ବ୍ୟସ୍ତ ଅଛନ୍ତି ଉକ୍ତ କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ, ନିମ୍ନ ମାନର ମେଟାଲ ଓ ନିୟମ ଅନୁଯାୟୀ ବାଲି ଓ ସିମେଣ୍ଟର ଭାଗମାପ ହେଉନଥିବା ଅଭିଯୋଗ ହେଉଛି l କାର୍ଯ୍ୟ ବେଳେ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବାରୁ ଠିକାଦାର ନିଜ ଇଛାରେ କାମ କରୁଥିବା ସାଧାରଣରେ ମତପ୍ରକାଶ ପାଇଛି I କଦଳୀବନ୍ଧ ଉପରେ ନୁଆସାହି, ହାଟପଦା, ବଜାର ସାହିର ବହୁଲୋକ ନିର୍ଭରଶିଳ କରନ୍ତି I କିନ୍ତୁ ହାତରେ ଆଉ ଗୋଟିଏ ମାସ ସମୟ I ଜୁନ ମାସରେ ବର୍ଷା ସମ୍ଭାବନା ଥିବା ଯୋଗୁଁ ପଙ୍କ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିପାରେ ବୋଲି ଅଞ୍ଚଳ ବାସୀ କହିଛନ୍ତି I ତେବେ ପଙ୍କ ଉଦ୍ଧାର କାର୍ଯ୍ୟ ପ୍ରଥମେ କରିବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ଆଲୋଚନା କରୁଛନ୍ତି l ସୂଚନାଯୋଗ୍ୟ ଯେ ପୋଖରୀ କାର୍ଯ୍ୟ କରୁଥିବା ଠିକାଦାର ପୂର୍ବରୁ ବାଲିଗୁଡା ମିନି ଷ୍ଟାଡିୟମର ଟେନିସ ହଲର ନିର୍ମାଣ କାମ କରୁଥିଲେ I ନିମ୍ନ ମାନର କାର୍ଯ୍ୟ କରିଥିବା ଯୋଗୁଁ ହଲ ଟି କାମ ବେଳେ ଭୁଶୁଡି ପଡିଥିବା ନଜିର ରହିଛି l ସେହିପରି ୬ନମ୍ବର ୱାର୍ଡରେ ନିର୍ମାଣଧୀନ କୁଣ୍ଡଳ ବନ୍ଧ କାର୍ଯ୍ୟ ମଧ୍ୟ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ନୂଆସାହି ବାସିନ୍ଦା l ଦୁଇ ବର୍ଷପୂର୍ବରୁ ଉକ୍ତ ବନ୍ଧର ପଙ୍କ ଉଦ୍ଧାର ସହ ପାହାଚ ନିର୍ମାଣ ହୋଇଥିଲା I ତେବେ ବର୍ତ୍ତମାନ ପୁଣି ନିର୍ମାଣ ହେଉଛି I ଯାହାକି ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ କାମ ଜଳଜଳ ହୋଇ ଦେଖାଯାଉଛି ବୋଲି ଆଲୋଚନା ହେଉଛି l କଥାରେ ଅଛି ‘ସରକାର କା ମାଲ ଦରିଆ ମେ ଡାଲ’ ନୀତିରେ କେବଳ ଠିକାଦାର ରିପେରିଂ କରି ଲାଭ ଉଠାଉଥିବା ବେଳେ ସାହି ବାସିନ୍ଦା ଏହାର ଦୁର୍ଦଶା ଭୋଗୁଛନ୍ତି l ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ପାଣି ପାଇଁ ଲୋକେ ହୀନସ୍ତା ହେଉଛନ୍ତି I ଜନ ସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜ଼ିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କି ଭଳି ଭାବରେ ଠିକ କାମ ହୋଇପାରିବ ସେନେଇ ଦୃଷ୍ଟିଦେବାର ଆବଶ୍ୟକତା ରହିଛି ବୋଲି ଅଞ୍ଚକ ବାସୀ ଦାବୀ କରିଛନ୍ତି l

Related news

Skip to toolbar