କନ୍ଧମାଳ ସନ୍ତାନ

Breaking News

ଲୁଟେରାଙ୍କ କବ୍ଜା ଦାରିଙ୍ଗବାଡ଼ି ଅଞ୍ଚଳ:ପୁଲିସ ପଞ୍ଝାରେ ପଡ଼ିଲେ ୨ ଲୁଟେରା…

ଦାରିଙ୍ଗବାଡ଼ି(ମାଥିଉ ମୁଠା ମାଝୀ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଚାରିଟି ଲୁଟ୍‌ ଓ ଚୋରି ଘଟଣା ସାମ୍ନାକୁ ଆସିଥିବା ବେଳେ ଏକ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣଙ୍କ ମଧ୍ୟରେ ସୁରଜ ନାୟକ (୨୮) ଏବଂ ଜଣେ ନାବାଳକ ରହିଛନ୍ତି ବୋଲି ତଦନ୍ତକାରୀ ଅଧିକାରୀ ବାସନ୍ତୀ ବେହେରା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୮ଟା ସମୟରେ ଦାରିଙ୍ଗବାଡ଼ି ଶିବ ମନ୍ଦିର ସାହିର ବାଦଲ କୁମାର ସାହୁ ତାଙ୍କ ରାଶନ ଦୋକାନ ବନ୍ଦ କରି ତାଲା ପକାଇ ଘରକୁ ଯାଇଥିଲେ। ଗୁରୁବାର ସକାଳେ ଦୋକାନ ଖୋଲିବାକୁ ଆସିବା ପରେ ସଟରର ତାଲା କଟାଯାଇଥିବା ଦେଖିଥିଲେ । ଦୋକାନ ଭିତରୁ ନଗଦ ୧୧ ହଜାର ଟଙ୍କା ସହ ବ୍ୟାଙ୍କ ପାସ୍‌ବୁକ୍‌, ଘରୋଇ ଗ୍ୟାସ୍‌ ଖାତା ଏବଂ ବିଭିନ୍ନ କାଗଜପତ୍ର ଚୋରି ହୋଇଥିବା ଜଣାପଡ଼ିଥିଲା । ଏନେଇ ବାଦଲ ସେହିଦିନ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ନଂ ୨୦୪/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସନ୍ଦେହରେ କିଛି ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ତଦନ୍ତ ପରେ ଜଣେ ନାବାଳକଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ତେବେ ଗତ ୧୫ ଦିନ ମଧ୍ୟରେ ଦାରିଙ୍ଗବାଡ଼ି ସହରରେ ଚାରିଟି ଲୁଟ୍‌ ଓ ଚୋରି ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି । ଏହି ଚାରିଟି ଘଟଣା ମଧ୍ୟରୁ ବୁଧବାର ରାତିର ରାଶନ ଦୋକାନ ଚୋରି ଘଟଣାରେ ପୁଲିସକୁ ସଫଳତା ମିଳିଛି । ଅନ୍ୟ ତିନୋଟି ବଡ଼ଧରଣର ଲୁଟ୍‌ ଘଟଣାରେ ଏପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିପାରିନଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ିର ଅଶୋକ କୁମାର ସାହୁଙ୍କ ଘରୁ ସୁନା ଅଳଙ୍କାର, ରୁପା ଓ ନଗଦ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌ ହୋଇଥିବା ଅଭିଯୋଗ ରହିଛି । ସେହିପରି ପ୍ରାୟ ୧୦ ଦିନ ପୂର୍ବରୁ ଜାଗୃତି ସାହିର ସଦାନନ୍ଦ ସିଂଙ୍କ ଘର ଏବଂ ଏକ ସୁନା ଦୋକାନରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ଆଦି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଲଗାତାର ଲୁଟ୍‌ ଘଟଣା ଦାରିଙ୍ଗବାଡ଼ି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଲୁଟେରାଙ୍କୁ ଧରିବା ପାଇଁ କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ଭୋସଲେ ଘଟଣାଗୁଡ଼ିକର ସମୀକ୍ଷା କରିଛନ୍ତି । ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା, ତଦନ୍ତକାରୀ ଅଧିକାରୀ ଲକ୍ଷ୍ମୀ ମାଝୀଙ୍କ ସମେତ ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଘଟଣାଗୁଡ଼ିକର ତଦନ୍ତ ଜାରି ରଖିଥିବା ଆଇଆଇସି ଜେନା କହିଛନ୍ତି ।

Related news