କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସହରର ଐତିହାସିକ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ବର୍ତ୍ତମାନ ଅସାମାଜିକ ବ୍ୟକ୍ତିଙ୍କ ଅପରାଧିକ କାର୍ଯ୍ୟର ଆଡ୍ଡା ସ୍ଥଳୀ ପାଲୋଟି ଥିବା ଦେଖା ଦେଇଛି । ସହରର ଅନ୍ୟତମ ପୁରାତନ ଏହି ଖେଳ ପଡ଼ିଆରେ ଫୁଟବଲ, କ୍ରିକେଟ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଥିଲା ।
କିନ୍ତୁ ଦୀର୍ଘଦିନ ଧରି ଯଥେଷ୍ଟ ରକ୍ଷଣାବେକ୍ଷଣ ନ ହେବାରୁ ଏହି ପଡ଼ିଆ ଅସାମାଜିକ ଓ ଅନୈତିକ କାର୍ଯ୍ୟ ପାଇଁ ସୁରକ୍ଷିତ ସ୍ଥାନରେ ପରିଣତ ହେଉଥିବା ଅଭିଯୋଗ ହୋଇଛି । ଖେଳ ପଡ଼ିଆର ଗୋଟିଏ ପାର୍ଶ୍ଵରେ ଘନ ଜଙ୍ଗଲ ଓ ବୁଦା ସୃଷ୍ଟି ହୋଇଥିବାରୁ ସନ୍ଧ୍ୟା ପରେ ଅଞ୍ଚଳଟି ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଉଛି । ଏହାର ସୁଯୋଗ ନେଇ କିଛି ଯୁବକ ନିଶା ସେବନ କରୁଥିବା ବେଳେ ଅନ୍ୟ କେତେକ ଅନୈତିକ କାର୍ଯ୍ୟରେ ଲିପ୍ତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ଧାର ପରିବେଶ ଯୋଗୁଁ ଏଭଳି କାର୍ଯ୍ୟ ଉପରେ ନଜର ରଖିବା ମଧ୍ୟ କଷ୍ଟସାଧ୍ୟ ହେଉଛି । ଲୋକଙ୍କ ଶାରୀରିକ ବ୍ୟାୟାମକୁ ପ୍ରୋତ୍ସାହନ ଦେବା ପାଇଁ ଏନଏସି ପକ୍ଷରୁ ଏଠାରେ ବ୍ୟାୟାମ ସରଞ୍ଜାମ ଲଗାଯାଇଥିଲା । କିନ୍ତୁ କେତେକ ଅସାମାଜିକ ବ୍ୟକ୍ତି ସେଗୁଡ଼ିକୁ ଭାଙ୍ଗି ଦେଇଥିବା ବେଳେ କିଛି ସାମଗ୍ରୀ ଚୋରି ହୋଇଯାଇଛି । ସେହିପରି ପୂର୍ବରୁ ଲଗାଯାଇଥିବା ହାଇମାଷ୍ଟ ଲାଇଟ୍ ମଧ୍ୟ ବର୍ତ୍ତମାନ କାର୍ଯ୍ୟକ୍ଷମ ନଥିବାରୁ ସମଗ୍ର ପଡ଼ିଆ ଅନ୍ଧାରରେ ରହୁଛି । ସ୍କୁଲ ଶ୍ରେଣୀଗୃହ ନିକଟରେ ମଧ୍ୟ ଘାସ ଓ ଜଙ୍ଗଲ ବଢ଼ିଯାଇଥିବାରୁ ଏହାର ଅପବ୍ୟବହାର ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ପରିବେଶ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅନୁକୂଳ ନୁହେଁ ବୋଲି ସେମାନେ କହିଛନ୍ତି । ଏସମ୍ପର୍କରେ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର କହିଛନ୍ତି ଯେ, ଶିକ୍ଷାନୁଷ୍ଠାନ ପରିସରରେ ଥିବା ଖେଳ ପଡ଼ିଆରେ ଏଭଳି ଅସାମାଜିକ କାର୍ଯ୍ୟ ହେବା ଅତ୍ୟନ୍ତ ଦୁଃଖଦ ବିଷୟ । ପଡ଼ିଆରେ ଉନ୍ନତ ଆଲୋକ ବ୍ୟବସ୍ଥା କରାଯିବା ସହ ନିୟମିତ ତଦାରଖ କରାଗଲେ ଏଭଳି ଘଟଣା ଉପରେ ରୋକ ଲଗାଯାଇପାରିବ । ଆସନ୍ତା ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ପାଳନକୁ ନଜରରେ ରଖି ଖେଳ ପଡ଼ିଆର ଚତୁର୍ଦ୍ଦିଗରେ ଥିବା ଜଙ୍ଗଲ ସଫା କରିବା, ଆଲୋକ ବ୍ୟବସ୍ଥାକୁ ସକ୍ରିୟ କରିବା ଏବଂ ପଡ଼ିଆର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି । ଏହି ପଡ଼ିଆକୁ ପୁଣିଥରେ ଏକ ଆଦର୍ଶ କ୍ରୀଡ଼ା ପଡ଼ିଆରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ସହ ପ୍ରଶାସନର ସକ୍ରିୟ ହସ୍ତକ୍ଷେପ ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ।




