କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଦାଦନ ଦୁଃଖ ବଢ଼ିବାରେ ଦେଖା ଦେଇଛି l ଏହି ଜିଲ୍ଲା ବାସୀଙ୍କ ପାଇଁ ସରକାରୀ ଯୋଜନା ଏକ ପ୍ରକାର ପ୍ରହସନ ହୋଇ ଥିବା ଦେଖା ଦେଇଛି l ଦାଦନ ଖଟିବା ସକାଶେ ଯୁବକ ଯୁବତୀଙ୍କୁ କେରଳ ରାଜ୍ୟକୁ ନେବା ପାଇଁ ପ୍ରତ୍ୟକ ଦିନ ଘୁ.ଉଦୟଗିରି- ରାଇକିଆରୁ ପ୍ରତ୍ୟେକ ଦିନ ବସ ମଧ୍ୟ ଦାଦନ ଏକ୍ସପ୍ରେସ ଯାତାୟାତ କରୁଛି l ଯାହା ଦ୍ୱାରା ଏହି ଅଞ୍ଚଳର ଯୁବକଯୁବତୀ ଦଲାଲଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ବାହାର ରାଜ୍ୟକୁ ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଥାନ୍ତି l ପ୍ରତ୍ୟେକ ଦିନ ବାହାର ରାଜ୍ୟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟୁ ଥିବା ଘଟଣା ଘଟୁଛି l ପୁଣି ଦୁଇ ଦିନ ପୂର୍ବେ କେରଳ ରାଜ୍ୟ ଏର୍ଣ୍ଣାକୁଲମ ଜିଲ୍ଲା ଏଡ଼ିଆର ଠାରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ମାଳିକାପଡ଼ି ଗ୍ରାମ ପଞ୍ଚାୟତ ଅଧିନସ୍ଥ ସିର୍କୀ ଗ୍ରାମର ତିନିଜଣ ଯୁବକ ଦାଦନ ଖଟିବା ପାଇଁ ଯାଇ ଥିବା ବେଳେ ବଏଲର ଫାଟି ଜଣକର ମୃତ୍ୟୁ ଘଟି ଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇ ଥିବା ସୂଚନା ମିଳିଛି l ସୂଚନା ଅନୁସାରେ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ସିର୍କୀ ଗ୍ରାମ କଲିନାଜୁ ମାନସ ପ୍ରଧାନ(୨୮) ଓ ନେଡି ନାଜୁର ବାର ପ୍ରଧାନ(୪୦) କେରଳ ରାଜ୍ୟ ଏର୍ଣ୍ଣାକୁଲମ ଜିଲ୍ଲାର ଏଡ଼ିଆର ଠାରେ ଏକ ହାଡ଼ କମ୍ପାନୀରେ କାମ କରିବାକୁ ଯାଇ ଥିଲେ l ଏହା ପରେ ପ୍ରାୟ ଚାରି ମାସ ହେବ କ୍ଲବ ସାହିର ବିକ୍ରମ ପ୍ରଧାନ(୪୦) ନାମକ ଯୁବକଙ୍କୁ ମଧ୍ୟ ସାଙ୍ଗରେ ନେଇ ସେହି କମ୍ପାନୀରେ କାମ ଯୋଗାଇ ଦେଇ ଥିଲେ l ହେଲେ ଶୁକ୍ରବାର ରାତ୍ରିରେ ତିନି ଯୁବ କାମ କରୁ ଥିଲେ l ଏହି ସମୟରେ ବିକ୍ରମ ବାଥରୁମ ଯାଇ ଥିଲେ l ହଠାତ ବୋଏଲର ଫାଟି ଯାଇ ଥିଲା l ବଏଲର ବାଥ ରୁମ ପାଖରେ ଥିବାରୁ ଘଟଣା ସ୍ଥଳରେ ବିକ୍ରମ ପ୍ରଧାନଙ୍କ ମୃତ୍ୟୁ ଘଟି ଥିବା ବେଳେ ବାର ପ୍ରଧାନ ଓ ମାନସ ପ୍ରଧାନ ଗୁରୁତର ଆହତ ହୋଇ ଥିଲେ l ଏହି ସମୟରେ ସିର୍କୀ ଗ୍ରାମର ଟେମ୍ପୁ ନାମକ ଯୁବକ କାମ ସାରି ନିଜ ଗୃହକୁ ଯିବା ପାଇଁ ମୁଖ୍ୟ ଗେଟରେ ଠିଆ ହୋଇ ଥିଲେ l ବଏଲର ଫାଟିବା ଶବ୍ଦ ଶୁଣି ସେ ଭିତରକୁ ପ୍ରବେଶ କରି ତିନି ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରି ଥିଲେ l ହେଲେ ବିକ୍ରମର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା l ମାନସ ଓ ବାରକୁ ଗୁରୁତର ଆହତ ଅବସ୍ଥାରେ ମେଡିକାଲ କଲେଜ କଲମ ଚେରି ଏର୍ଣ୍ଣାକୁଲମକୁ ଚିକିତ୍ସା ପାଇଁ ଆଣି ଥିଲେ l ବର୍ତ୍ତମାନ ଦୁଇ ଗୁରୁତର ଆହତ ଯୁବକ କଲମ ଚେରି ମେଡିକାଲ କଲେଜରେ ଚିକିତ୍ସିତ ହେଉ ଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ମୃତ ଦେହ ବ୍ୟବଚ୍ଛେଦ କରି ଆଜି ରାତ୍ର ୧୧ ଘଣ୍ଟିକା ସମୟରେ ବିମାନ ଯୋଗେ ଭୁବନେଶ୍ବରକୁ ଅଣାଯିବା ଓ ପରେ ଭିଟା ମାଟି ସିର୍କୀ ଗ୍ରାମକୁ ଅଣାଯିବା ନେଇ ସୂଚନା ହସ୍ତଗତ ହୋଇଛି l ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି l ମୃତ ବିକ୍ରମ ପ୍ରଧାନ ଓ ଦୁଇ ଆହତ ଯୁବକ ବାର ପ୍ରଧାନ ଏବଂ ମାନସ ପ୍ରଧାନର ପରିବାର ଏବେ ରୋଜଗାର ହରାଇ ଛନ୍ତି l ତେଣୁ ତିନି ପରିବାର ବର୍ତ୍ତମାନ ସରକାରଙ୍କ ସାହାଯ୍ୟ ଅପେକ୍ଷାରେ ଥିବା ଅଞ୍ଚଳ ବାସୀ କହିଛନ୍ତି l