କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ପ୍ରେକ୍ଷାଳୟ ଠାରେ ସମିତି ବୈଠକ ଅନୁଷ୍ଠିତ…..

କନ୍ଧମାଳ ସନ୍ତାନ(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ଘୁ.ଉଦୟଗିରି ବ୍ଲକ ରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଧ୍ୟକ୍ଷାଙ୍କୁ ଗଣମାଧ୍ୟମ ପ୍ରତିନିଧି ଦୀର୍ଘ ମାସ ଧରି ସମିତି ବୈଠକ ହେଉନଥିବା ନେଇ ପ୍ରଶ୍ନ ପଚାରିବା ଓ ସେ ନେଇ ବିଭିନ୍ନ ଖବର କାଗଜରେ ଖବର ପ୍ରସାରଣ ପରେ ଆଜି ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମିତି ଉପାଧ୍ୟକ୍ଷ ଏନ. ଲୁକ୍, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଲିଲିମା ପ୍ରଧାନ, ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ, ବିଧାୟକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଅତିରିକ୍ତ ସହକାରୀ ଯନ୍ତ୍ରୀ ଅସିତ୍ କୁମାର ସେଠୀ ମଞ୍ଚାସିନ ହୋଇଥିବା ବେଳେ ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ସମିତି ଉନ୍ନୟନ ପରିଷଦ ବୈଠକରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସମସ୍ତ ପଞ୍ଚାୟତରେ ହୋଇଥିବା ବିକାଶ ମୂଳକ ପ୍ରକଳ୍ପ ହେବାକୁ ଥିବା ବିକାଶ କାର୍ଯ୍ୟ ଗୁଡ଼ିକ ତଥା ପୋଖରୀ ଖନନ, କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ, ଗ୍ରାମାଞ୍ଚଳ ହାଟର ନିର୍ମାଣ, ପଞ୍ଚାୟତ ସହାୟତା ଗୃହ, ସରକାରୀ ବିଦ୍ୟାଳୟ ମରାମତି, ଜଳ ଉତ୍ସ ର ବିକାଶ, ରାସ୍ତା, ବ୍ରିଜ ମରାମତି, ଜନସାଧାରଣଙ୍କ ନିମନ୍ତେ କର୍ମଯୋଗାଣ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସହ ସୌନ୍ଦର୍ଯ୍ୟ କରଣ ଉପରେ ଆଲୋଚନା କରାଯାଇ ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ସରକାରଙ୍କ ନିକଟକୁ ପ୍ରସ୍ତାବ ଦେବା ନିମନ୍ତେ ସ୍ଥିର କରାଯାଇଥିଲା । ସମସ୍ତ ଜନ ପ୍ରତିନିଧି ନିଜ ନିଜ ଅଞ୍ଚଳର ଜନସାଧାରଣଙ୍କ ନିମନ୍ତେ ଆବଶ୍ୟକୀୟ ମୌଳିକ ସୁବିଧା ସହ ସାମୁହିକ ଆବଶ୍ୟକତା ବିଷୟରେ ମତାମତ ଉପସ୍ଥାପନଳ
କରିଥିଲେ । ସମିତି ସଭ୍ୟ ସଚ୍ଚିଦାନନ୍ଦ ପ୍ରଧାନ ବିଗତ ଆର୍ଥିକ ବର୍ଷର ବ୍ଲକରେ ଆବଶ୍ୟକୀୟ ସାମୁହିକ ବିକାଶ ବର୍ତ୍ତମାନ ପର୍ଯ୍ୟନ୍ତ ସରି ନଥିବା ନେଇ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ମାନଙ୍କୁ ଦାୟୀ କରିଥିଲେ । ସମସ୍ତ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ କନିଷ୍ଠ ଯନ୍ତ୍ରୀମାନଙ୍କ ଦ୍ଵାରା ଯୋଜନା କରାଯାଇଥାଏ କିନ୍ତୁ ପର୍ଯ୍ୟାପ୍ତ ସଂଖ୍ୟକ ଯନ୍ତ୍ରୀ ନଥିବା ବେଳେ ଯେଉଁ ମାନେ ବି ଅଛନ୍ତି ସେମାନେ ଠିକ୍ ଭାବେ ନିଜ କାମ କରୁନଥିବା ଓ ସରକାରୀ ଅଧିକାରୀମାନେ ଜନପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଥିବା ବେଳେ ସରପଞ୍ଚ ଅବଲାକର ପ୍ରଧାନ ସଭ୍ୟଙ୍କ ଅଭିଯୋଗରେ ସହମତି ହୋଇ ସମର୍ଥନ କରିଥିଲେ । ନିର୍ବାଚନର ଗୋଟିଏ ବର୍ଷ ମଧ୍ୟରେ ଆବଶ୍ୟକତା ଅନୁସାରେ ସମିତି ବୈଠକ ହୋଇ ନ ଥିବା ନେଇ ଉପାଧ୍ୟକ୍ଷ କ୍ଷୋଭ ପ୍ରକାଶ କରିବା ସହ ନିୟମିତ ସମୟ ବ୍ୟବଧାନରେ ବୈଠକ ଆୟୋଜନ କରାଗଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । କଳିଙ୍ଗା ସରପଞ୍ଚ ମନରେଗା ଯୋଜନାରେ ହେଉଥିବା କାର୍ଯ୍ୟଶୈଳୀ ନେଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ବିଧାୟକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ଉନ୍ନୟନ ମୂଳକ କାର୍ଯ୍ୟରେ ଯନ୍ତ୍ରୀମାନଙ୍କ ଅବହେଳା, ମନରେଗା ଯୋଜନାରେ ଅନିୟମିତତା, ବସୁଧା ଯୋଜନାର ବିଫଳତା ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ବିତରଣ ନେଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ସାଂସଦ ପ୍ରତିନିଧି ସରକାରୀ ଅଧିକାରୀ ନିଜ କାର୍ଯ୍ୟରେ ଅବହେଳା ପାଇଁ ଓ ଗ୍ରାମାଞ୍ଚଳର ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ୱରାନ୍ୱିତ କରି ଶେଷ କରିବାକୁ ତାଗିଦ୍ କରିଥିଲେ I ସରକାରଙ୍କ ଯୋଜନା ଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଫଳପ୍ରଦ କରିବାକୁ କହିଥିଲେ I ସ୍ଥାନୀୟ ସରକାରୀ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରଙ୍କ ସ୍ଥିତି ନେଇ ମେଡିକାଲ ଅଫିସରଙ୍କୁ ପ୍ରଶ୍ନ କରିଥିଲେ ଓ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ରଖିଥିଲେ । ଏହି ସମୟରେ ଜିଲ୍ଲାପରିଷଦ ସମିତି ସଭ୍ୟା କିଛିଦିନ ତଳେ ଜଣେ ରୋଗୀଙ୍କ ଚିକିତ୍ସାରେ ଅବହେଳା ଓ ରୋଗୀର ସମ୍ପର୍କୀୟ ସେ ନେଇ କାର୍ଯ୍ୟରତ ଡାକ୍ତର ସୁବୋଧ ନାୟକଙ୍କୁ ପଚାରିବା ପରେ ଡାକ୍ତର ନିଜ ସମର୍ଥକ ମାନଙ୍କ ସହ ଉକ୍ତ ରୋଗୀର ସମ୍ପର୍କୀୟମାନଙ୍କ ବିରୋଧରେ ଜାତିଆଣ ଆକ୍ଷେପ ନେଇ ଏକ ମିଥ୍ୟା ମାମଲା ରୁଜୁ କରି ରୋଗୀ ସମ୍ପର୍କୀୟଙ୍କୁ ମାନସିକ ନିର୍ଯ୍ୟାତନା ଦେଇଥିବା ନେଇ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲିଲିମା ପ୍ରଧାନ ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ କରିବା ସହ କାର୍ଯ୍ୟରତ ସମୟରେ ଜଣେ ଡାକ୍ତରଙ୍କ କୌଣସି ଧର୍ମ କିମ୍ବା ଜାତି ଗତ ମନଭାବ ରହିବା କଥା ନୁହେଁ କିନ୍ତୁ ଉକ୍ତ ଡାକ୍ତର ଏମିତି କାହିଁକି କଲେ ବୋଲି ପ୍ରଶ୍ନ କରିବା ସହ ଘଟଣା କୁ ନିନ୍ଦା କରିଥିଲେ । ବିଦ୍ୟୁତ ବିଭାଗର ଅଧିକାରୀମାନେ ନିଜ ନିଜ ଯୋଜନା ସମ୍ପର୍କରେ ବୈଠକରେ ଅବଗତ କରିବା ସହ ସମସ୍ତ ସମସ୍ୟା ଗୁଡ଼ିକର ସମାଧାନ କରାଯିବା ନେଇ ମତ ରଖିଥିଲେ । ଜିପିଓ ଶିଶିରକାନ୍ତ ତ୍ରିପାଠୀ ପୂର୍ବ ବୈଠକ ବିବରଣୀ ପାଠ କରିବା ସହ ଆଜିର ବୈଠକ ପରିଚାଳନା କରିଥିଲେ ଶେଷରେ ଅଧ୍ୟକ୍ଷା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Related news

Skip to toolbar