କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଆଜି ବାଲ୍ୟବିବାହ ରୋକିବା ପାଇଁ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଓ ଏଡିକୋ ସହାୟତାରେ ଅଞ୍ଚଳର ଆଠଗୋଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରୋଗ୍ରାମ ମ୍ୟାନେଜର ସୁଧିର କୁମାର ଦିଗାଲ ଓ ପ୍ରକଳ୍ପ ଅଧିକାରୀ ଦିଲ୍ଲୀପ କୁମାର ପଣ୍ଡା ଯୋଗ ଦେଇ ବାଲ୍ୟ ବିବାହ ରୋକିବା ପାଇଁ ଗ୍ରାମ ତଥା ୱାର୍ଡ ସ୍ତରରେ ଲୋକଙ୍କୁ କିଭଳି ସଚେତନତା କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା କରିଥିଲେ । ଯେଉଁମାନେ ବାଲ୍ୟ ବିବାହ କରନ୍ତି ସେମାନଙ୍କୁ କିଭଳି ଭାବେ ପରାମର୍ଶ ପ୍ରଦାନ କରିବେ ଯଦ୍ୱାରା , କାହାରବି କିଛି କ୍ଷତି ହେବନାହିଁ । ଏଣୁ ପ୍ରାଥମିକ ସ୍ତରରେ କର୍ଯ୍ୟ କରୁଥିବା ଅଙ୍ଗନୱାଡ଼ି କର୍ମୀ କିଭଳି ଭାବେ ଉକ୍ତ କାର୍ଯ୍ୟର ତଦାରଖ କରିପାରିବେ ଏବଂ କୋମଳ ମତି ଶିଶୁମାନେ ଯେପରି ସୁଷମ ଖଦ୍ୟ ଓ ଶିକ୍ଷାରୁ ବଞ୍ଚିତ ନ ହେବେ ସେନେଇ ଆଲୋଚନା କରାଯାଇଥିଲା । ବିଶେଷ କରି ବାଲ୍ୟ ବିବାହ ରୋକିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସେଗୁଡ଼ିର ସୁବିଧା ସାଧାରଣ ଲୋକେ କିପରି ପାଇପାରିବେ ଏବଂ ସଚେତନ ହୋଇପାରିବେ ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମୀ ରସାନ୍ତ ପାଲଟା ସିଂ, ଜିତେନ୍ଦ୍ର ଉଥାନ ସିଂ, ସଞ୍ଜୟ ଦିଗାଲ, ଆକାଶ ସିଂ, ସୁଧାକର ନାୟକ ସହଯୋଗ କରିଥିଲେ । ଉପସ୍ଥିତ ସରପଞ୍ଚ ଓ ଅଙ୍ଗନୱାଡ଼ି କର୍ମୀମାନେ ଆଗାମୀ ଦିନରେ ଅଞ୍ଚଳରେ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ ଗଠନରେ ସହାୟକ ହେବ ବୋଲି ଶପଥ ଗ୍ରହଣ କରିଥିଲେ ।