କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ, ଜଣକ ନାମରେ ୱାରେଣ୍ଟ ଥିବା ବେଳେ ଅନ୍ୟଜଣେ ଆଦିବାସୀ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ……

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ପୁଲିସର ବର୍ବରତା ବଢ଼ିବାରେ ଲାଗିଛି I ଯାହା ପାଇଁ ପୁଲିସ-ଜନତା ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇ ପାରୁ ନାହିଁ I ଯାହାର ଜ୍ଵଳନ୍ତ ଉଦାହରଣ ଘୁ.ଉଦୟଗିରି ଥାନା ଅଧିନସ୍ଥ ରୁଦାଙ୍ଗିଆ ଅଞ୍ଚଳରେ ଦେଖିବାକୁ ମିଳିଛି I ପୁଲିସର ଅତ୍ୟାଚାରକୁ ବିରୋଧ କରି ଗଦଗୁଡ଼ା ଗ୍ରାମପଞ୍ଚାୟତ ବାସୀ ଘୁ.ଉଦୟଗିରି ଥାନାକୁ ଘେରାଉ କରି ଥିବା ଦେଖିବାକୁ ମିଳିଛି I ଅଭିଯୋଗ ମୁତାବକ ଜଣକ ନାମରେ ୱାରେଣ୍ଟ ଗିରଫ ହୋଇ ଜେଲ ଗଲେ ଅନ୍ୟ ଜଣେ ଆଦିବାସୀ ଯୁବକ I ଘୁ.ଉଦୟଗିରି ଥାନା ଅଧିନସ୍ଥ ଗଦଗୁଡ଼ା ଗ୍ରାମରେ ଏହି ଭଳି ସାଂଘାତିକ ଘଟଣା ଘଟିଛି I ଯାହା ପାଇଁ ରୋଗୀ ବୃଦ୍ଧାବାପା ଆଶାବାଡ଼ି ଧରି ଘୁ.ଉଦୟଗିରି ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରି ଥିବାର ଦେଖା ଦେଇଛି I ଏହି ଘଟଣାରୁ ଅଞ୍ଚଳ ବସୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରିବା ସହ ପୁଲିସ ଉପରୁ ଭରୋସା ଉଠିଥିବା ମତପ୍ରକାଶ ପାଇଛି I କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ଶୁଦ୍ଧା ଚାଲିଛି କି ଖାକିର ବ୍ରିଟିଶ ଶାସନ?? ଯାହା ପାଇଁ ଜଣେ ନିରୀହ ଗରିବ ଆଦିବାସୀ ଯୁବକ ବିନା କାରଣରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇ କାରାଗାରରେ ଥିବା ଗିରଫ ଯୁବକଙ୍କ ପିତା ରାଜବନ ପ୍ରଧାନ ଅଭିଯୋଗ କରିବା ସହ ଉଚ୍ଚସ୍ଥରୀୟ ତଦନ୍ତ ଦାବୀ କରିଛନ୍ତି I ଏହି ଘଟଣାକୁ ନେଇ ଅଞ୍ଚଳରେ ଅଶାନ୍ତି ଦେଖାଯିବା ସହ ପୁଲିସର କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଅଞ୍ଚଳବାସୀ I
କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଥାନା ରୁଦାଙ୍ଗିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ଲେବାଗୁଡ଼ା ଗ୍ରାମର ପ୍ରଭୁ ରଶ୍ମୀ ପ୍ରଧାନଙ୍କୁ ପୁଲିସ ବିନା ଦୋଷରେ ଉଠାଇ ଆଣି କୋର୍ଟ ଚାଲାଣ କରି ଥିବା ଅଭିଯୋଗ ହୋଇଛି I ଏହାକୁ ନେଇ ରୁଦାଙ୍ଗିଆ ଅଂଚଳର ପ୍ରୟା ୨୦୦ରୁ ଉର୍ଦ୍ଧ୍ବ ଲୋକ ଆସି ଥାନା ଘେରାଉ କରିଥିଲେ I
ସୂଚନା ଅନୁସାରେ ଘୁ. ଉଦୟଗିରି ଥାନାରେ ୨୦୦୮ ମସିହାରେ ଜିଆର ମାମଲା ସଂଖ୍ୟା ୩୫୬(ଏଫ) ୨୦୦୮ ଦଫା ୧୪୭, ୧୪୮, ୪୩୬, ୪୨୭, ୩୪୧, ୩୨୩, ୩୨୪, ୩୨୫, ୩୨୬, ୩୦୨, ୩୭୯, ୩୦୭, ୧୨୦-ବି, ୧୪୯ ଆଇପିସିରେ ସଞ୍ଜୀବ ପ୍ରଧାନ, ପିତା- ରାଜବନ ପ୍ରଧାନ, ଗ୍ରାମ- ବାନ୍ଧାଗୁଡ଼ାଙ୍କ ନାମରେ ମାମଲା ରୁଜୁ ହୋଇ ଥିଲା ୱାରେଣ୍ଟ ତାଙ୍କ ବିରୋଧରେ ରହିଥିଲା I ହେଲେ ଗତ ୨୮/୦୫/୨୦୨୨ ରିଖ ଶନିବାର ସକାଳ ୮ ଘଣ୍ଟା ୩୦ ମିରେ ଘୁ.ଉଦୟଗିରି ପୁଲିସ ପ୍ରଭୂ ରଶ୍ମୀ ପ୍ରଧାନ, ପିତା- ରାଜବନ ପ୍ରଧାନ, ଗ୍ରାମ- ଲେବାଗୁଡ଼ା(ରୁଦାଙ୍ଗିଆ), ଥାନା-ଘୁ.ଉଦୟଗିରିଙ୍କୁ ଜୋର ଜବରଦସ୍ତ ରୁଦାଙ୍ଗିଆରୁ ଗିରଫ କରି କୋର୍ଟ ଚାଲାଣ କରି ଥିଲେ I ଏହି ଗିରଫଦାରୀକୁ ସ୍ଥାନୀୟ ଜିଲ୍ଲା ପରିଷଦ ଉପାଦକ୍ଷା ସାଧବାଣୀ ନାୟକ, ସରପଞ୍ଚ ପୁଷ୍ପାଲତା ପ୍ରଧାନ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ସଞ୍ଜୀବ ନାୟକ, ସରତ କୁମାର ନାୟକ, ଡେନି ନାୟକ, ଜୁନିତ ନାୟକ, ବିଷ୍ଣୁପାଣି ନାୟକ, ତପନ ନାୟକ, ଉଷିଆନ ନାୟକ, ଡାନିୟେଲ ନାୟକ, ବୀରେନ୍ଦ୍ର ନାୟକ, ରୁବେନ ପ୍ରଧାନ, ସବୁ ପ୍ରଧାନ, ରାମଚନ୍ଦ୍ର ଦିଗାଲ, ଶଶୀରେଖା ପ୍ରଧାନ, ଚିନ୍ମୟୀ ପ୍ରଧାନ, ଚାରଲୀ ନାୟକ, ସଚିନ୍ଦ୍ର ପ୍ରଧାନ, ଆଦମ ନାୟକ, ଟୁଳନ ନାୟକ, ଅଜିତ ନାୟକ ପ୍ରମୁଖ ବିରୋଧ କରି ଆଜି ଥାନାକୁ ଆସି ଥିଲେ I ଯାହା ପାଇଁ ଥାନାରେ ଉତ୍ତେଜନା ଲାଗି ରହି ଥିଲା I ‘ମୋ ସ୍ବାମୀଙ୍କୁ ବିନା କାରଣରେ ଗିରଫ କରାଯାଇଛି I ଖବର ନେବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ମାମଲା ସଂଜୀବ ପ୍ରଧାନଙ୍କ ନାମରେ ଥିଲା I ମୋ ସ୍ବାମୀଙ୍କ ନାମ ପ୍ରଭୁ ରଶ୍ମୀ ପ୍ରଧାନ I ଘୁ.ଉଦୟଗିରି ପୁଲିସ କେଉଁ ଆଧାରରେ ମୋ ସ୍ୱାମୀଙ୍କୁ ଗିରଫ କଲା I ଯାହା ଦ୍ୱାରା ମୋ ପରିବାର ସମ୍ପୂର୍ଣ୍ଣ ମାନସିକ ଓ ସାମାଜିକ ଭାବରେ ଭାଙ୍ଗି ପଡ଼ିଛି I ଏହି ଘଟଣା ପାଇଁ ସ୍ଥାନୀୟ ଥାନାଧିକାରୀ ରେବତୀ ଶବର ସିଧାସଳଖ ଦାୟୀ I ମୋତେ ନ୍ୟାୟ ଦରକାର ବୋଲି ପ୍ରଭୁ ରଶ୍ମୀ ପ୍ରଧାନଙ୍କ ସ୍ତ୍ରୀ କମଳା ପ୍ରଧାନ କହିଛନ୍ତି I ଘୁ.ଉଦୟଗିରି ପୁଲିସ ଯେତେବେଳେ ପ୍ରଭୂ ରଶ୍ମୀ ପ୍ରଧାନଙ୍କୁ ଗିରଫ କରିବାକୁ ଆସିଲା ମୁଁ ଘଟଣା ସ୍ଥଳରେ ଉପସ୍ଥିତ ଥିଲି I ଏହି ବ୍ୟକ୍ତି ଜଣକ ପ୍ରଭୁ ରଶ୍ମୀ ପ୍ରଧାନ ସେ ସଞ୍ଜୀବ ପ୍ରଧାନ ନୁହଁନ୍ତି ବୋଲି ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କଲା ବୋଲି ଗ୍ରାମରକ୍ଷୀ ଜଗନ୍ନାଥ ପ୍ରଧାନ ପ୍ରକାଶ କରିଛନ୍ତି I ଗିରଫ ହୋଇ ଥିବା ଯୁବକଙ୍କ ଆଧାର କାର୍ଡ, ଦଶମ ଶ୍ରେଣୀ ପରୀକ୍ଷା ମାର୍କସିଟ, ରାସନ କାର୍ଡ ଇତ୍ୟାଦି ଦସ୍ତାବିଜ ପ୍ରଭୂ ରଶ୍ମୀ ପ୍ରଧାନ ନାମରେ ଥିବା ଗଣମାଧ୍ୟମର ହସ୍ତଗତ ହୋଇଛି I ଏଠାରେ ପ୍ରଶ୍ନ ଉଠେ ଘୁ.ଉଦୟଗିରି ପୁଲିସ କେଉଁ ତଥ୍ୟ ଆଧାରରେ ପ୍ରଭୂ ରଶ୍ମୀ ପ୍ରଧାନଙ୍କୁ ଗିରଫ କଲା ?? ଯଦି ସଞ୍ଜୀବ ପ୍ରଧାନ ଓ ପ୍ରଭୁ ରଶ୍ମୀ ପ୍ରଧାନ ଏକ ବ୍ୟକ୍ତି, ତାହା ହେଲେ ୦୯/୧୯୯୮ରେ ଦଶମ ଶ୍ରେଣୀର ପରୀକ୍ଷା ଦେଇ ଫଳାଫଳ ପ୍ରକାଶ ପାଇ ଥିବା ମାର୍କସିଟ ଦସ୍ତାବିଜରେ ସଞ୍ଜୀବ ପ୍ରଧାନ ବଦଳରେ ପ୍ରଭୂ ରଶ୍ମୀ ଲେଖାଗଲା କେମିତି ?? ବୋଲି ରୁଦାଙ୍ଗିଆବାସୀ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି I ପୁଲିସ ଓ ଥାନାଧିକାରୀ ଜାଣିଶୁଣି ପ୍ରଶାସନକୁ ନିଜର ଦକ୍ଷତା ଦେଖାଇ ବହାବାହା ନେବା ପାଇଁ ଜଣେ ଗରିବ ଆଦିବାସୀ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଗଦଗୁଡା ସରପଞ୍ଚ ପୁଷ୍ପଲତା ପ୍ରଧାନ ମତବ୍ୟକ୍ତ କରିଛନ୍ତି I ଯାହା ପାଇଁ ଘୁ.ଉଦୟଗିରି ପୁଲିସକୁ ତୀବ୍ର ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସାଧାରଣ ଜନତା I ଘଟଣା ସମ୍ପର୍କରେ ସ୍ଥାନୀୟ ଥାନାଧିକାରୀ ରେବତୀ ଶବରଙ୍କ ମତାମତ ଗ୍ରହଣ କରାଯାଇ ଥିଲା I ପୁଲିସ ୱାରେଣ୍ଟ ପ୍ରକାରେ ତଦନ୍ତ କରି ସଞ୍ଜୀବ ପ୍ରଧାନ ଆଲିଆସ ପ୍ରଭୂ ରଶ୍ମୀ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ପୁଲିସ ତରଫରୁ କୌଣସି ଭୁଲ ହୋଇ ନାହିଁ I ଯଦି ଏହି ଗିରଫ ଘଟଣାରେ ପୁଲିସ ତରଫରୁ କୌଣସି ଅନ୍ୟାୟ ହୋଇ ଥାଏ, ତାହା ହେଲେ ପୀଡ଼ିତ ପରିବାର ନ୍ୟାୟ ପାଇବା ପାଇଁ ଆଇନର ଆଶ୍ରୟ ନେଇ ପାରିବେ ବୋଲି ଥାନାଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି I

Related news

Skip to toolbar