କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ଥାନା ପୁଲିସ ଏକ ଗଞ୍ଜେଇ ବୋଝେଇ ବୋଲେରୋ ପିକଅପରୁ ୧୪୨ କିଲୋ ୩ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି I ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ହଜାର ଟଙ୍କା ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି I ଗିରଫ ଅଭିଯୁକ୍ତ ଜଣକ ବାଲିଗୁଡା ଥାନା ବାଟାଗୁଡ଼ାର ଟୁନୁ ନାୟକ ବୋଲି ଦାରିଙ୍ଗବାଡ଼ି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି I ଥାନା ଅଧିକାରୀଙ୍କ ସୂଚନା ପ୍ରକାରେ ବାଲିଗୁଡ଼ା ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଥାନା ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଦାରିଙ୍ଗବାଡି ଥାନା ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏଏସଆଇ ଅର୍ଜୁନ ଶବର କନେଷ୍ଟବଳ ରଘୁନାଥ ନାୟକ, ମନୋରଞ୍ଜନ ସାବତ, ଦିଲିପ ନାୟକଙ୍କ ସହିତ ଅନ୍ୟ କର୍ମଚାରୀଙ୍କ ଏକ ଟିମ ଆମ୍ବ ଖାଲିଆ ବୁଲାଣିରେ ଛପି ରହି ଥିଲେ I ଏତିକି ବେଳେ ବାଲିଗୁଡା ପଟୁ ଏକ ବୋଲେରୋ ପିକଅପ ଯାହାର ନମ୍ବର (ଓ-ଆର-୨୫ବି-୯୩୬୩)ଦ୍ରୁତ ଗତିରେ ଆସିଥିଲା I ଘାଟିରେ ପୁଲିସକୁ ଦେଖି ବୋଲେରୋ ପିକଅପ ଚଳାଉଥିବା ଡ୍ରାଇଭର ଜଣକ ଗାଡ଼ିର ଗତି କମାଇଦେଇ ଗାଡ଼ିରୁ ଓହ୍ଲାଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କର୍ମଚାରୀମାନେ ତାକୁ ଧରିବାରେ ସକ୍ଷମ ହୋଇଥିଲେ I ଡ୍ରାଇଭରକୁ ଧରିବା ପରେ ଗାଡ଼ିଟିକୁ ଯାଞ୍ଚ କରିବା ସମୟରେ ଭ୍ୟାନର ଡାଲାରେ ୩ଟି ବଡ଼ବଡ ବସ୍ତା ରହିଥିବା ପୋଲିସ ଦେଖିବାକୁ ପାଇଥିବା ବେଳେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣା ପଡ଼ିଥିଲା I ଏହାପରେ ଗାଡ଼ି ସହିତ ଡ୍ରାଇଭର ଟୁନୁ ନାୟକକୁ ଗିରଫ କରିଥିଲା I ଆଜି ଗିରଫ ଅଭିଯୁକ୍ତକୁ ଫୁଲବାଣୀ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିବା ସହ ଏନେଇ ଦାରିଙ୍ଗବାଡି ଥାନାରେ କେସ ନମ୍ବର ୬୬/୨୨ରେ ମାମଲା ରୁଜୁ କରାଯାଇ ଥିବା ସୂଚନା ଦେଇଛନ୍ତି I