କନ୍ଧମାଳ ସନ୍ତାନ

Breaking News

‘ଆମ ଗାଁ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନବ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନେଇ ବୈଠକ ଆୟୋଜିତ……

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଆମ ଗାଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅଞ୍ଚଳର ଆଠ ଗୋଟି ପଞ୍ଚାୟତର ନବ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ସମ୍ପାଦକ କିଶୋର ବଳିଆର ସିଂଙ୍କ ତତ୍ୱବାଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମଚାରୀମାନେ ପୁଷ୍ପଗୁଚ୍ଛ ଓ ସ୍ୱାଗତ ସଙ୍ଗୀତ ଗାନ କରି ସମସ୍ତ ଲୋକ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ୧୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମୁଠାମାଝୀଙ୍କ ସଭାପତିତ୍ୱରେ ଆଠ ଗୋଟି ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଏବଂ ଅଞ୍ଚଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ବ୍ରାହ୍ମଣୀଗାଁରେ ଏକ ନୂତନ ବ୍ଲକ ଗଠନ ନିମନ୍ତେ ଆଲୋଚନା କରାଯାଇଥିଲା I ବୈଠକର ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ବଳିଆର ସିଂ ଲୋକ ପ୍ରତିନିଧି ମାନଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିବା ସହ ଅନୁଷ୍ଠାନ ପକ୍ଷରୁ ଜାରୀ ରହିଥିବା ମା ଗୃହର ସେବା କାର୍ଯ୍ୟ ଓ ଆରୋଗ୍ୟ ପ୍ଲସ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ନିବେଦନ କରିଥିଲେ I ଏହା ପରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକ ପ୍ରତିନିଧିମାନେ ନିଜ ନିଜ ପଞ୍ଚାୟତର ସମସ୍ୟା ର ଆସୁ ସମାଧାନକୁ ନେଇ ବକ୍ତବ୍ୟ ରଖିଥିଲେ I ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନର ସମସ୍ତ କର୍ମୀ ସହଯୋଗ କରିଥିବା ବେଳେ ଆଠ ଗୋଟି ପଞ୍ଚାୟତ ଯଥା କାଟିଙ୍ଗିଆ, କୁମ୍ଭାରୀ ଗାଁ, ଝିଞ୍ଜିରିଗୁଡ଼ା, ବ୍ରାହ୍ମଣୀଗାଁ, ଗଦାପୁର, ସରମୁଳୀ, ତାଜୁଙ୍ଗିଆ ଓ ହାତିମୁଣ୍ଡାର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ନାଏବ ସରପଞ୍ଚ ମାନେ ଯୋଗ ଦେଇଥିଲେ I

Related news

Skip to toolbar