କନ୍ଧମାଳ ସନ୍ତାନ

Breaking News

ଦେଶ ମାତୃକା ପାଇଁ ଜୀବନ ଦେଇ ସହିଦ ହୋଇ ଥିଲେ ରିନ୍ଦ ମାଝୀ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ଗ୍ରାମ ପଞ୍ଚାୟତର ବରିକିଆ ଗ୍ରାମ I ଏହି ଗ୍ରାମ ଶହିଦ ବୀର ରିନ୍ଦ ମାଝୀଙ୍କ ଜନ୍ମ ମାଟି I ଏହି କଥା ଖୁବ କମ ଲୋକଙ୍କୁ ଜଣାଥିବ I ସ୍ଥାନୀୟ ବାସୀନ୍ଧାଙ୍କ କହିବା ଅନୁସାରେ ବାପା ରିଡ଼ିଙ୍ଗା ମାଝୀ ଓ ମାଁ ବକେରି ମାଝୀ (ଲୁବେନଗଡ଼)ଗାଁ ପାହାଡ଼ର ରିନ୍ଦା ବାଲି ଦେବତାଙ୍କୁ ପୂଜା କରି ପୁତ୍ର ସନ୍ତାନ ପାଇ ଥିବାରୁ ନାଁ ଦେଇଥିଲେ ରିନ୍ଦ I ଶେଷ ଅବସ୍ଥାରେ ବାପା ଛେଉଣ୍ଡ ହେବାରୁ ମାଁ ବକେରି ଚାଲି ଯାଆନ୍ତି ନିଜ ପୌତୃକ ଗ୍ରାମ ଲୁବେନଗଡ଼କୁ I ଜାଣିବାକୁ ମିଳେକି ସେଠାରେ ସେ ଆସୁରା ମାଝୀଙ୍କ ପୁଅ ବୁକେରା ମାଝୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ I ୧୮୫୫ ମସିହାର କଥା l ଦିନେ ରିନ୍ଦ ମାଝୀ ନିଜ ପୁଅ ପଲସା ମଝିଙ୍କ ସହିତ କିନଲି ଗାଁରେ କନ୍ଧ ଜାତିର ପାରମ୍ପରିକ ଧରଣୀ ପୂଜା କରୁଥିବା ବେଳେ ଇଁରେଜ ପୁଲିସ ତାଙ୍କୁ ବନ୍ଦି କରି ନେଇ ଥିଲା I ସେତେବେଳେ ବରିକିଆ ଘୁମୁସର ଅଧୀନରେ ଥିବାହେତୁ ତାହାଙ୍କୁ ରସୁଲ କୋଣ୍ଡା (ଭଞ୍ଜନଗର)ଜେଲକୁ ପଠାଇ ଦିଆ ଯାଇଥିଲା I ରିନ୍ଦ ମାଝୀ, ଡୋରା ବିଷୋୟୀ ଓ ଚକରା ବିଷୋଇୟୀଙ୍କ ଦ୍ୱାରା ପ୍ରଭାବିତ ହୋଇ ବ୍ରିଟିଶ ସରକାରଙ୍କୁ ଖଜଣା ଆଦି ନଦେବା ପାଇଁ ନିଜ ଲୋକଙ୍କୁ ମତାଉଥିଲେ I ତେଣୁ ତାଙ୍କ ବିରୁଦ୍ଧରେ ମିଥ୍ୟା ମେରିଆ ବଳି ଅଭିଯୋଗ ଆଣି ଇଁରେଜମାନେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ଥିଲେ I ଶେଷରେ ଦୁର୍ଦ୍ଧାନ୍ତ କର୍ନେଲ ମାକନେଲ ସାହେବ ତାଙ୍କୁ ହାତ, ଗୋଡ଼, ଅଣ୍ଟା ଓ ବେକରେ ଲୁହା ଶିଙ୍କୁଳିରେ ବାନ୍ଧି ଚଲାଇ ଚଲାଇ ରସୁଲ କୋଣ୍ଡାରୁ ଉର୍ଲାଦାନୀ ପର୍ଯ୍ୟନ୍ତ ନେଇଥିଲେ I ସେଠାରେ କ୍ୟାମ୍ପ ଉପରେ ସ୍ଥାନୀୟ କନ୍ଧ ଲୋକ ରିନ୍ଦ ମାଝୀଙ୍କୁ ମୁକୁଳାଇବା ପାଇଁ ଆକ୍ରମଣ କରିଥିଲେ l ଏଥିରେ ଉତକ୍ଷୀପ୍ତ ହୋଇ ମାକନେଲ ସାହେବ ରିନ୍ଦ ମାଝୀଙ୍କୁ ତା ୧୦/୧୨/୧୮୫୫ ରେ ଗୁଳି କରି ମାରିଦେଇଥିଲେ l ପରାଧୀନ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ କୁହାଯାଉଥିବା ସିପାହି ବିଦ୍ରୋହର ପ୍ରାୟ ଦୁଇ ବର୍ଷ ଆଗରୁ ଦେଶ ମାତୃକା ପାଇଁ ଆତ୍ମା ବଳି ଦେଇ ସହିଦ ହୋଇ ଥିଲେ ରିନ୍ଦ ମାଝୀ ବୋଲି ଦାବୀ କରାଯାଉଛି I

Related news

Skip to toolbar