କନ୍ଧମାଳ ସନ୍ତାନ

Breaking News

କିଲାକିଆ-ଜାକାମାହା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସାରିବା ପାଇଁ ଦାବୀ……

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର ଜାକାମାହା-କିଲାକିଆ ରାସ୍ତା ର ନିର୍ମାଣ କାମ ଅଧାରେ ରହି ଥିବା ଅଭିଯୋଗ ହୋଇଛି I ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଜାକାମାହା ପି.ଡବ୍ଲୁ.ଡି. ରାସ୍ତା ଠାରୁ କିଲାକିଆ ପର୍ଯ୍ୟନ୍ତ ମୋଟ ଦୈର୍ଘ୍ୟ 8.165 କି. ମି. ରାସ୍ତାର ନିର୍ମାଣ କାମ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଆରମ୍ଭ ହୋଇ ଥିଲା I ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତାର ନିର୍ମାଣ କାମ ସମ୍ପୁର୍ଣ୍ଣ ହୋଇ ନ ଥିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି I ଏହି କାର୍ଯ୍ୟାଦେଶର ସମ୍ପୂର୍ଣ ବିବରଣୀ ପ୍ରକାଶ କରିବା ପାଇଁ ଜାକାମାହା ଛକ ଠାରେ ଫଳକ ଲଗା ଯାଇଛି I ହେଲେ ସେହି ସୂଚନା ଫଳକରେ ନା ଅଛି ସଡ଼କ ଯୋଜନା ପାଇଁ ଗ୍ରାଣ୍ଟ ହୋଇ ଥିବା ଅର୍ଥ ରାଶିର ପରିମାଣ ନା ଅଛି କାର୍ଯ୍ୟାରମ୍ଭ ଓ କାର୍ଯ୍ୟଶେଷ ତାରିଖ I ଏହି ରାସ୍ତା ଯାକାମାହା ଠାରୁ ଆରମ୍ଭ ହୋଇ ଗାଡିଆକଲା, ଗଟାମାହା ରାଇକଲା, ଖାରିଆପଡ଼ା, ରାଇପଲ୍ଲୀ, ମାହାନାଯୁ, କଟଡ଼ଗାଣ୍ଡା, କିଲାକିଆ ଦେଇ ଶ୍ରୀକଲା ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି I ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦୁଇଗୋଟି ଯଥା ଲିଙ୍ଗାଗଡ ଏଵଂ ରାଇକଲା ପଞ୍ଚାୟତ ମଧ୍ୟର ଦେଇ ଯାଉଅଛି I ଏହି ରାସ୍ତା ଉପରେ ଅଞ୍ଚଳର ପ୍ରାୟ ପ୍ରାୟ ୫୦୦୦ ରୁ ଉର୍ଧ୍ୱ ଲୋକ ଉପରେ ନିର୍ଭର କରୁଛନ୍ତି I ରାସ୍ତାଟି ଅର୍ଦ୍ଧନିର୍ମିତ ହୋଇ ବହୁବର୍ଷ ଧରି ପଡିରହିବା ଏଵଂ ପ୍ରଶାସନ ଅଣଦେଖା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି I ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି I ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମେଟାଲ ବାହାରିବା ଦ୍ୱାରା ଯିବା ଆସିବାରେ ବହୁତ ଅସୁବିଧା ହେଉଥିବା କୈଳାସ ପ୍ରଧାନ ଅଭିଯୋଗ କରିଛନ୍ତି I


ଏହି ରାସ୍ତା ଦେଇ ବିଭିନ୍ନ ଗାଡ଼ି, ମୋଟର, ଅଟୋ ଚଳାଚଳ କରୁଛି ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ପାଇଁ ଟାୟାର ଫାଟୁଥିବା ପ୍ରକାଶ କରିଛନ୍ତି ଅଟୋ ଚାଳକ ମିଥୁନ ପରିଛା I ତେଣୁ ଯଥାଶୀଘ୍ର କାମ ସାରିବାକୁ ଦାବୀ ରଖିଛନ୍ତି I କଟଡଗାଣ୍ଡା ବାସିନ୍ଦା ସ୍ମିତାରାଣୀ ପ୍ରଧାନ କହିଛନ୍ତି ଯେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଅଳ୍ପ ବର୍ଷା ହେଲେ ରାସ୍ତାରେ ଚାଲିହେଉନି ରାସ୍ତା ଉପରେ ପାଣି ଯାଇ ରାସ୍ତା କଡ଼ ମଧ୍ୟ ଧୋଇହେଇଯାଉଛି I ଏହି ରାସ୍ତାରେ ଗାଡ଼ି ଯୋଗେ ଗର୍ଭବତୀ ମାଁ ଏଵଂ ରୋଗୀଙ୍କୁ ମେଡିକାଲ ନେବା ନିମନ୍ତେ ବହୁ ସମସ୍ୟାର ସମ୍ମୁଖିନ ହେଉ ଥିବା ଅଞ୍ଚଳ ବାସୀ କହିଛନ୍ତି I ତେଣୁ ଏହି ରାସ୍ତାର ନିର୍ମାଣ କାମ ଯଥା ଶୀଘ୍ର ସାରିବା ପାଇଁ ଅଞ୍ଚଳର ବାସୀନ୍ଧା ଜିତେନ୍ଦ୍ର କୁମାର ନାୟକ, କୈଳାସ ପ୍ରଧାନ, କିଶୋର ପ୍ରଧାନ, ଲାଘୁ ଚରଣ ପ୍ରଧାନ, ଶିବରାମ ପ୍ରଧାନ, ନବରାଜ ପ୍ରଧାନ, ହରିଶ୍ଚନ୍ଦ୍ର ପ୍ରଧାନ, ବକ୍ସି ପ୍ରଧାନ, ପୁରୁଷୋତ୍ତମ ପ୍ରଧାନ, ଅନିମା ପ୍ରଧାନ, ସ୍ମିତାରଣୀ କଂହର, ଜସ୍ନା ପ୍ରଧାନ, ସୁପ୍ରିୟା ପ୍ରଧାନ, ରୀନା ପ୍ରଧାନ, ପଦ୍ମିନୀ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି I

Related news

Skip to toolbar