କନ୍ଧମାଳ ସନ୍ତାନ

Breaking News

ଓୟୁଏଟି ବଳଦଟଣା ଚାରି ଧାଡ଼ିଆ ମଞ୍ଜି ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଓ ଅନ ଲାଇନ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ ସନ୍ତାନ(ବ୍ୟୁର): ଓଡିଶା ଓ ବୈଷୟିକ ବିଶ୍ୱବିଦ୍ୟIଳୟ ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର,କନ୍ଧମାଳର ମିଳିତ ଉଦ୍ୟମରେ ଜି.ଉଦୟଗିରି ଠାରେ ସୋରିଷ ଫସଲ ଚାଷରେ ଓୟୁଏଟି ବଳଦ ଟଣା ଚାରି ଧାଡ଼ିଆ ମଞ୍ଜି ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ପ୍ରାୟ ପଚାଶ ଜଣ ଅଗ୍ରଣୀ ଚାଷୀ, ଅନେକ କୃଷିବିତ, ସରକାରୀ ବିଭାଗର ପଦାଧିକାରୀ, ବେସରକାରୀ ଅନୁଷ୍ଠାନମାନଙ୍କର କର୍ମକର୍ତ୍ତା ଅନ ଲାଇନରେ ଯୋଗ ଦେଇ ଭରଚୁଆଲ କନଫରେନସିଂ ଜରିଆରେ କ୍ଷେତ୍ର ପ୍ରଦର୍ଶନ ଦେଖିଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ଯୋଗଦେଇ କ୍ଷେତ୍ର ପ୍ରଦର୍ଶନ ଦେଖିବା ସହ ଉପସ୍ଥିତ ଚାଷୀମାନଙ୍କ ସହ ଭରଚୁଆଲ କନଫରେନସିଂ ଜରିଆରେ ଯନ୍ତ୍ରର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ I ସମ୍ପ୍ରତି କନ୍ଧମାଳ ଜିଲ୍ଲାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ବଳଦଦ୍ୱାରା ସେମାନଙ୍କର ଅଧିକାଂଶ ଚାଷ କାମ କରିଥାନ୍ତି I ଏହି ପରିପ୍ରେକ୍ଷୀରେ ପ୍ରକଳ୍ପ ତରଫରୁ ବିକଶିତ ହୋଇଥିବା ଓୟୁଏଟି ମୋଡ଼ପତ୍ର ଲଙ୍ଗଳ, ଉନ୍ନତ ଜୁଆଳି, ଚାରି / ପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ର ଇତ୍ୟାଦି ଅନେକଗୁଡିଏ ବଳଦ ଟଣା ଉନ୍ନତ କୃଷି ଯନ୍ତ୍ରପାତିର କାର୍ଯ୍ୟକାରିତା, ବ୍ୟବହାର, ମରାମତି ଓ ରକ୍ଷଣାବେକ୍ଷଣ ସମ୍ବନ୍ଧରେ ଏହି ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ସହଯୋଗରେ କ୍ଷେତ୍ର ପ୍ରଦର୍ଶନ ଓ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଉଅଛି I ବିଶେଷ କରି ପ୍ରକଳ୍ପ ତରଫରୁ ବିକଶିତ ବଳଦ ଟଣା ଉନ୍ନତ କୃଷି ଯନ୍ତ୍ରପାତିଗୁଡିକର ଚାଷୀ କ୍ଷେତରେ ପରୀକ୍ଷଣ, ତଥା ସରକାରୀ ରିହାତି ସହ ଚାଷୀ ମାନଙ୍କୁ ଯୋଗାଇ ଦେବାରେ ପ୍ରକଳ୍ପ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ପ୍ରଫେସର ସ୍ୱାଇଁ ସବିଶେଷ ବିବରଣୀ ଦେଇଥିଲେ I କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ଦେବାଶିଷ ମିଶ୍ର ଓ କୃଷି ଯାନ୍ତ୍ରିକ ବୈଜ୍ଞାନିକ ଇଂ ସଂଘ ମିତ୍ରI ବିଶ୍ୱାଳ କାର୍ଯ୍ୟକ୍ରମରେ ଭାଗ ନେଇ କୃଷିର ଆଧୁନିକୀକରଣ ଦ୍ୱାରା କମ ଖର୍ଚରେ, କମ ସମୟରେ, ଅଳ୍ପ ପରିଶ୍ରମରେ ସମସ୍ତ ଚାଷ କାମ ଭଲ ଭାବରେ ହୋଇପାରୁଥିବାରୁ କୃଷକଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ I କରୋନା ମହାମାରୀ ସମୟରେ ଅନ ଲାଇନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସମସ୍ତ ଚାଷୀ ଭାଇ , ବୈଜ୍ଞାନିକ ଓ ଅନ୍ୟାନ୍ୟ କର୍ମକର୍ତା ସାମାଜିକ ଦୂରତା ରକ୍ଷା କରି ସୁରକ୍ଷିତ ଭାବରେ ଭାଗନେଇ କୃଷିର ଉନ୍ନତି ପାଇଁ ଆଲୋଚନା କରିବାର ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛିI

Related news

Skip to toolbar