କନ୍ଧମାଳ ସନ୍ତାନ

Breaking News

କରୋନାରେ ଆଖି ବୁଜିଲେ ଦକ୍ଷ, ଲୋକପ୍ରିୟ ଯୁବସାମ୍ବାଦିକ ପ୍ରବୀର କୁମାର ପ୍ରଧାନ…

କନ୍ଧମାଳ ସନ୍ତାନ(ବ୍ୟୁର):କରୋନା ପୁଣି ଜଣେ ଦକ୍ଷ ଯୁବ ସାମ୍ବାଦିକଙ୍କ ଜୀବନକୁ ନେଇଛି I ଯାହାପାଇଁ ସମ୍ବାଦିକ ସମାଜ ଆଜି ସ୍ଥବ୍ଧ I ଆଜି ଓଡ଼ିଆ ସାମ୍ବାଦିକତା ଜଗତ ଜଣେ ଯୁବ ପ୍ରତିଭାଙ୍କୁ ହରାଇଛି I

ନ୍ୟୁଜ୍ ୧୮ ଓଡିଆ ଚାନେଲର  ଜଣାଶୁଣା କ୍ରାଇମ୍ ରିପୋର୍ଟର ପ୍ରବୀର ପ୍ରଧାନଙ୍କର ଜୀବନ ନେଇଛି କରୋନା I ତାଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା I ଦେଢ଼ମାସ ତଳେ ସେହି କରୋନା ତାଙ୍କ ବାପାଙ୍କ ଜୀବନ ନେଇଥିଲା I ଏବେ ତାଙ୍କର ଏକମାତ୍ର ପୁଅ ବି ଚାଲିଗଲେ । ପ୍ରବୀରଙ୍କ ଅକାଳ ବିୟୋଗ ସାମ୍ବାଦିକମାନଙ୍କୁ ସ୍ତବଧ୍ କରିଦେଇଛି I ଅତ୍ୟନ୍ତ ନମ୍ର, ଭଦ୍ର ତଥା ନିଜର ପ୍ରଚଣ୍ଡ ପ୍ରତିଭା ପାଇଁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିବା ପ୍ରବୀର I ଆଉ ଯେ ଇହ ଜଗତରେ ନାହାନ୍ତି ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜନସାଧରଣ I ପ୍ରବୀର କରୋନାରେ ଆକ୍ରାନ୍ତ ହୋଇ ଗତ ୧ ତାରିଖରେ ସ୍ଥାନୀୟ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଗତକାଲି ସଂଧ୍ୟାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା I ତାଙ୍କର ଫୁସଫୁସ୍ ୯୫ ପ୍ରତିଶତ ସଂକ୍ରମିତ ହେବା ସହ ବ୍ଲଡ ପ୍ରେସର୍ କମିଯାଇଥିଲା I ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ I ଆଜି ସକାଳ ୮.୧୨ ମିନିଟ୍ ରେ ଆଖି ବୁଜି ଦେଇଥିଲେ ପ୍ରବୀର I ବୈାଦ୍ଧ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ପ୍ରବୀର ସାମ୍ବାଦିକତାରେ ଡିଗ୍ରୀ ହାସଲ ପରେ ଧରିତ୍ରୀ ଖବରକାଗଜରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ I ୨୦୧୧ ମସିହାରେ ସେ ଇଟିଭିରେ ଯୋଗଦେଇଥିଲେ I ନ୍ୟୁଜ୍ ୧୮ ଓଡ଼ିଆ ଚାନେଲ୍ ରେ ସିନିୟର୍ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ I କ୍ରାଇମ୍ ରିପୋର୍ଟିଂରେ ତାଙ୍କର ବିଶେଷ ଦକ୍ଷତା ଥିଲା I ଚାନେଲ୍ ପକ୍ଷରୁ ଦୁଇଥର ସେ ବେଷ୍ଟ୍ ରିପୋର୍ଟର ପୁରସ୍କାର ପାଇବା ସହ ଜାତୀୟସ୍ତରରେ ମଧ୍ୟ ବେଷ୍ଟ କ୍ରାଇମ୍ ରିପୋର୍ଟର ପୁରସ୍କାର ହାସଲ କରିଥିଲେ I କେବଳ ଭଲ ସାମ୍ବାଦିକ ନ ଥିଲେ ପ୍ରବୀର । ତାଙ୍କର ନମ୍ର ଓ ସରଳ ଆଚାର ବ୍ୟବହାର ପାଇଁ ନିଜ ଅଫିସ ଓ ବନ୍ଧୁ ମହଲରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ I ଖୁବ୍ ପରିଶ୍ରମୀ ଓ କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠାପରତା କମ୍ ବୟସରୁ ତାଙ୍କୁ ସଫଳତାର ଶୀର୍ଷ ପହଞ୍ଚାଇଥିଲା I ଦେଢ଼ମାସ ତଳେ ବାପାଙ୍କୁ ହରାଇଲା ପରେ ପ୍ରବୀର ଭାଙ୍ଗି ପଡ଼ିଥିଲେ । ତେବେ କାର୍ଯ୍ୟକ୍ଷେତ୍ରରେ ଏହା ତାଙ୍କୁ ବାଧା ଦେଇ ନ ଥିଲା I ନିଜର ବିଧବା ମାଆ, ପତ୍ନୀ ଓ ଦୁଇବର୍ଷର ଝିଅକୁ ଅନାଥ କରି ଆରପାରିକୁ ଚାଲିଯାଇଛନ୍ତି ପ୍ରବୀର I ତାଙ୍କର ଜଣେ ଭଉଣୀ ଅଛନ୍ତି I ସ୍ୱର୍ଗତ ପ୍ରବୀର ପ୍ରଧାନଙ୍କ ବାପା ଜଣେ ପୁଲିସ ଅଫିସର ଥିଲେ I ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଛି I ସମ୍ବାଦିକ ପ୍ରବୀର ପ୍ରଧାନଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ସମ୍ବାଦିକ, ରାଜନେତା, ସମାଜସେବୀ,ଉଚ୍ଚପଦସ୍ତ ସରକାରୀ କର୍ମଚାରୀ ଏବଂ ଜନସାଧାରଣ I

Related news

Skip to toolbar