କନ୍ଧମାଳ ସନ୍ତାନ

Breaking News

ଜନ୍ମ କଲା ମା’ ପ୍ରତି ପୁଅର ସ୍ନେହ, ମମତା, କର୍ତ୍ତବ୍ୟ ରହିଛି । ସେହିଭଳି ନିଜ ଜନ୍ମମାଟି ପ୍ରତି ମଧ୍ୟ କର୍ତ୍ତବ୍ୟ ରହିଛି : ରାଜେଶ କୁମାର ବଗର୍ତ୍ତି

କନ୍ଧମାଳ ସନ୍ତାନ(ବ୍ୟୁର): ପାହାଡ଼ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା I ଏହି ପାହାଡ଼ି ମଟିରୁ ଜନ୍ମ ନେଇ ଛନ୍ତି ବହୁ ସଂଗ୍ରାମୀ I ହୁଏତ ଏହି ଜିଲ୍ଲା ପଛୁଆ ଜିଲ୍ଲା ହୋଇ ଥିଲେ ସୁଦ୍ଧା ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରିଛି I ଏହି ଜିଲାର ସଂଗ୍ରାମୀ ସନ୍ତାନମାନେ ଆଜିକାର ଦୁନିଆରେ ପ୍ରତିଦ୍ବନ୍ଦିତା କରି ବେଶ ଆଗକୁ ବଢ଼ି ପାରିଛନ୍ତି I ସମସ୍ୟା ଆଗରେ ହାର ମାନି ନାହାନ୍ତି କନ୍ଧମାଳ ମାଟିର ସନ୍ତାନ I ଯାହାର ଏକ ଜ୍ୱଳନ୍ତ ଉଦାହରଣ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର ତଲାରୀମାହା ଗ୍ରାମ ପଞ୍ଚାୟତର ଗଟାମାହାରେ ଦେଖିବାରେ ମିଳିଛି I
ଘୁ.ଉଦୟଗିରି ବ୍ଳକର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ I ଗତ ୨୦୧୯ ମସିହାରେ ଓଡ଼ିଶାର ସର୍ବ ପ୍ରାଚୀନ ତଥା ଐତିହ୍ୟ ସମ୍ପର୍ଣ୍ଣ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ପ୍ରାଚୀନ ଭାରତୀୟ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ନାମକ ବିଷୟବସ୍ତୁ ଉପରେ ସ୍ନାତକୋତ୍ତର ତଥା ଏମ୍.ଏ ଡିଗ୍ରୀ ହାସଲ କରିବା ପରେ ଗତବର୍ଷ ଶେଷ ସମୟରେ କରୋନା ମହାମାରୀ ପାଇଁ ନିଜ ଗାଁକୁ ଚାଲି ଆସିଥିଲେ I ଆର୍ଥିକ ଅନାଟନ ସତ୍ତ୍ୱେ ମଧ୍ୟ ରାଜେଶ ନିଜ ଲକ୍ଷ ସ୍ଥଳକୁ ଆଗେଇ ଚାଲି ଥିଲେ ଏବଂ କୃତକାର୍ଯ୍ୟ ମଧ୍ୟ ହୋଇ ଥିଲେ I ଯାହା ପାଇଁ ସମଗ୍ର ଗ୍ରାମ ଆଜି ଉତ୍ସବ ମୁଖର I ଏହି ମହାମାରୀ ସମୟରେ ରାଜେଶ କୁମାର ବଗର୍ତ୍ତି ଗାଁକୁ ଆସି ଥିଲେ I ଗ୍ରାମରେ ରହିବା ମଧ୍ୟରେ କନ୍ଧମାଳ ଜିଲ୍ଲା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ପାହାଡିଆ ଅଞ୍ଚଳର ବିକାଶ ମୂଳକ ତଥା ସାମାଜିକ ବିକାଶ ପାଇଁ କାର୍ଯ୍ୟରେ ନିଜକୁ ସମ୍ପୃକ୍ତି କରି ଥିଲେ I ଏହା ସହ ନିଜ ଗାଁ ମାଟି ପାଇଁ କର୍ତ୍ତବ୍ୟ ଆରମ୍ଭ କରି ଥିଲେ I କରୋନା ମହାମାରୀ ସମୟରେ ଦେଶରେ ଲକଡାଉନ ଯୋଗୁଁ ଗତ ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି I ଏହି ସମୟରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ଅବନତି ସୃଷ୍ଟି ହେବା ହୃଦବୋଧ କରି ସେ ଗଟାମାହା ଗାଁରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଦିନ ସକାଳ ୮ ଟାରୁ ଦିନ ୧୧ ଘଟିକା ଏବଂ ସନ୍ଧ୍ୟା ୬ଟା ସମୟରୁ ରାତି ୯ ଟା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି । ନିଜେ ଯେମିତି ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିଲେ ସେହି ପରି ନିଜ ଜନ୍ମ ମାଟିର ପିଲାମାନେ ମଧ୍ୟ କିଭଳି ଭାବେ ଆଗକୁ ବଢ଼ିପାରିବେ ସେଥି ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି । ଛୋଟରୁ ବଡ଼ ସମସ୍ତ ପିଲାଙ୍କୁ ନିଜ ପାଖରେ ବସାଇ ଶିକ୍ଷାଦାନ କରି ସେ ପ୍ରଶଂସାର ପାତ୍ର ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ନିଜ ଘର ବାରଣ୍ଡାରେ ଗାଁର ୧୫ ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । ରାଜେଶ କହନ୍ତି, ଜନ୍ମ କଲା ମା’ ପ୍ରତି ପୁଅର ସ୍ନେହ, ମମତା, କର୍ତ୍ତବ୍ୟ ରହିଛି । ସେହିଭଳି ନିଜ ଜନ୍ମମାଟି ପ୍ରତି ମଧ୍ୟ କର୍ତ୍ତବ୍ୟ ରହିଛି । ଗାଁର ଉନ୍ନତି ସାଙ୍ଗକୁ ମୋ ଗାଁ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ବିକଶିତ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ପ୍ରକାଶ କରିବା ସହ ଏହି ଉଦ୍ୟମ ଆଗକୁ ଜାରୀ ରହିବ ବୋଲି ରାଜେଶ କୁମାର ବଗର୍ତ୍ତି କହିଛନ୍ତି I

Related news

Skip to toolbar