କନ୍ଧମାଳ ସନ୍ତାନ

Breaking News

ମୁର୍ସହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲର ସେବାକୁ ଝୁରୁଛନ୍ତି ଅଞ୍ଚଳବାସୀ… ହସ୍ପିଟାଲ ପୁନଃରୁଦ୍ଧାର ପାଇଁ ବାଧକ ସାଜିଛି ଏକତା, ଇଚ୍ଛାଶକ୍ତିର ଅଭାବ ଏବଂ ଆର୍ଥିକ ଅନାଟନ???

କନ୍ଧମାଳ ସନ୍ତାନ(ବ୍ୟୁର): ମୂର୍ସହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲର ରୋଗୀ ସେବା ବନ୍ଦ ହେବାର ବହୁ ବର୍ଷ ପରେ ମଧ୍ୟ ଜନସାଧାରଣ ବଖାଣୁ ଛନ୍ତି ୧୯ ଦଶକର ରୋଗୀ ସେବା I ଯେଉଁ ସେବାକୁ ଝୁରୁଛନ୍ତି ଅଞ୍ଚଳବାସୀ I ଇତିହାସ ସଦାବେଳେ ଘଟି ଥିବାର ଘଟଣାର ପ୍ରମାଣ ଦେଇଥାଏ I ଏବେବି ବଞ୍ଚିଛି ମୂର୍ସହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲର ଇତିହାସ I ହେଲେ ଅଭାବ ରହିଛି ହସ୍ପିଟାଲ ପୁନଃରୁଦ୍ଧାର ପାଇଁ ଏକିତା, ଇଚ୍ଛା ଶକ୍ତି ଏବଂ ଆର୍ଥିକ ସହାୟତା I ଯାହା ପାଇଁ ଏହି ପ୍ରସିଦ୍ଧ ହସ୍ପିଟାଲ ଆଜି ଚିକିତ୍ସା ସେବା ଯୋଗାଇବାରୁ ବଞ୍ଚିତ I କିଛି ବର୍ଷ ପୂର୍ବେ ଖ୍ରୀଷ୍ଟିଆନ ସଂସ୍ଥା ଗୁଡ଼ିକ ହସ୍ପିଟାଲର ପୁନଃରୁଦ୍ଧାର ପାଇଁ ଆପ୍ରାଣ ଉଦ୍ୟମ କରି ଚିକିତ୍ସା ସେବା ଯୋଗାଇ ଦେଉ ଥିଲେ I କିନ୍ତୁ ତାହା ମଧ୍ୟ ଅଳ୍ପ ଦିନ ପରେ ବନ୍ଦ ହୋଇ ଥିଲା I ଏହା ସହ ଡାକ୍ତର ପ୍ରଦୀପ ଚନ୍ଦ୍ର ମଲିକ ମଧ୍ୟ ହସ୍ପିଟାଲର ପୁନଃରୁଦ୍ଧାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟମ ଜାରୀ ରଖି ଥିବା କହିଛନ୍ତି I ଆର୍ଥିକ ସଙ୍କଟ ଯୋଗୁଁ ହସ୍ପିଟାଲ ଚାଲୁ କରିବା ସମ୍ଭବ ହୋଇ ପାରୁନ ଥିବା ଡାକ୍ତର ମଲିକ ପ୍ରକାଶ କରିଛନ୍ତି I
କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଗୁଡରୀପଡ଼ି ଠାରେ ସ୍ଥାପିତ ହୋଇ ଥିଲା ମୂର୍ସ ହେଡ ଖ୍ରୀଷ୍ଟିଆନ ହସ୍ପିଟାଲ I ଯାହା କି ବାପଟିଷ୍ଟ ମିଶନାରୀ ସୋସାଇଟି ଦ୍ୱାରା ୧୯୩୯ ଜାନୁଆରୀ ୧୩ ତାରିଖରେ ସ୍ଥାପିତ ହୋଇ ଥିଲା I ପ୍ରାପ୍ତ ସୂଚନା ଅନୁସାରେ ଡାକ୍ତର ଆର.ଫ୍ଲେଚେର.ମୂର୍ସହେଡ ୧୯୦୨-୧୯୩୪ ପର୍ଯ୍ୟନ୍ତ ବି.ଏମ.ଏସରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ I ଏହି ସମୟରେ କୁଇଦିନା ଅର୍ଥାତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିକୁ ୧୯୦୬ ମସିହାରେ ପରିଭ୍ରମଣରେ ଆସି ଥିଲେ I ସେହି ସମୟରେ କୁଇ ଦିନାରେ ଗମନାଗମନ ଓ ରୋଗୀ ଚିକିତ୍ସା ବ୍ୟବସ୍ଥା ନ ଥିଲା I ଏହି ଅଞ୍ଚଳର ଗରିବ ଜନସାଧାରଣ ଚିକିତ୍ସା ନ ପାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବହୁ ସଂଖ୍ୟାରେ ଜୀବନ ହରାଉ ଥିଲେ I ଯାହାକି ଡାକ୍ତର ଆର.ଫ୍ଲେଚେର.ମୂର୍ସହେଡଙ୍କୁ ମର୍ମାହତ କରିଥିଲା I କିଛି ଦିନ ରହିବା ପରେ ଡାକ୍ତର ମୂର୍ସହେଡ ଗୁଡରିପଡି ଠାରେ ଏକ ଚିକିତ୍ସାଳୟ ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇ ଇଂଲଣ୍ଡ ଫେରି ଯାଇ ଥିଲେ ଏବଂ କିଛି ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା I ଡାକ୍ତର ଆର.ଫ୍ଲେଚେର.ମୂର୍ସହେଡ କୁଇଦିନାର ଗରିବ ନିରୀହ ଜନସାଧାରଣଙ୍କୁ ଚିକିତ୍ସା ପ୍ରଦାନ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବା ପାଇଁ ତାଙ୍କ ସାହଧର୍ମିଣୀ ମିସେସ ମୂର୍ସହେଡ ୧୩ ଜାନୁଆରୀ ୧୯୩୯ରେ ଛ ଶଯ୍ୟା ବିଶିଷ୍ଠ ଏହି ମେଡିକାଲ ଆରମ୍ଭ କରିଥିଲେ I ଯାହାକୁ କି ତତ୍କାଳୀନ ଗୋଭର୍ଣ୍ଣର ସାର.ଜୋନ.ଅଷ୍ଟିନ.ହୋବାକ ଉଦଘାଟନ କରିଥିଲେ I ସେହି ଦିନ ଠାରୁ ମୂର୍ସହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲ କୁଇଦିନାର ଗରିବ ଦଳିତ ଆଦିବାସୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ଆରମ୍ଭ କରିଥିଲା I ଏହି ସମୟରେ ଡାକ୍ତର ବିଲକୀନ୍ସ, ଡାକ୍ତର ଥୋମାସ, ଡାକ୍ତର ସ୍ମିଥ,ଡାକ୍ତର ରାଇଟ, ଡାକ୍ତର କୃଷ୍ଣମୂର୍ତି ଏବଂ ବହୁ ଡାକ୍ତର ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜନସାଧାରଣଙ୍କୁ ନିରନ୍ତର ବିନା ମୂଲ୍ୟରେ ଚିକତ୍ସା ସେବା ଯୋଗାଇ ଦେଉ ଥିଲେ I ଯାହା ପାଇଁ ମୂର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲ ସମଗ୍ର ଦେଶରେ ବେଶ ଖ୍ୟାତି ମଧ୍ୟ ଅର୍ଜନ କରିଥିଲା I ବିଭିନ୍ନ ରାଜ୍ୟରୁ ମଧ୍ୟ ରୋଗୀଙ୍କ ସୁଅ ଛୁଟି ଥିଲା I ଯାହା ପାଇଁ କଟକ ଏବଂ ବିଭିନ୍ନ ସ୍ଥାନରୁ ଗୁଡରିପରି ପ୍ରଶାସନ ପକ୍ଷରୁ ବସ ସେବା ମଧ୍ୟ ଆରମ୍ଭ କରାଯାଇ ଥିଲା I ଡାକ୍ତର ବିଲକୀନ୍ସ (୧୯୩୬-୧୯୫୧), ଡାକ୍ତର ଥୋମାସ (୧୯୫୧-୧୯୬୯), ଡାକ୍ତର ସ୍ମିଥ (୧୯୬୮), ଡାକ୍ତର ଆର. ଜେ. ହାର୍ଟ (୧୯୭୧-୧୯୭୨),ଡାକ୍ତର ରାଇଟ (୧୯୭୨ କେବଳ ୬ମାସ) ଚିକିତ୍ସା ସେବା ଯୋଗାଇ ଥିଲେ I ଡାକ୍ତର ଥୋମସ ସର୍ବାଧିକ ୧୯ବର୍ଷ ଏବଂ ଡାକ୍ତର ବିଲକୀନ୍ସ ୧୫ବର୍ଷ ନିରନ୍ତର ଚିକିତ୍ସା ସେବା ଅଞ୍ଚଳବାସୀଙ୍କୁ ଯୋଗାଇ ଥିଲେ I ଯାହାକୁ କି ଅଞ୍ଚଳବାସୀ ଭୁଲି ପାରିନାହାନ୍ତି ଏବଂ ଏହି ସମୟକୁ ହସ୍ପିଟାଲର ଗୌରବମୟ ଇତିହାସ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି I ମୂର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲର କୋଠା ଅତି ଉନ୍ନତ ମାନର ଥିଲା I ଏହା ସହ ଅସ୍ତ୍ରୋପଚାର ଏବଂ ରୋଗୀ ମାନଙ୍କୁ ଉନ୍ନତ ମାନର ଜ୍ଞାନକୌଶଳ ମାଧ୍ୟମରେ ଚିକତ୍ସା ଯୋଗାଇ ଦିଆ ଯାଉଥିଲା I ହସ୍ପିଟାଲ ସେବା ଯୋଗାଉ ଥିବା ସମୟରେ ୯ ଜଣ ରାଜ୍ୟପାଳ, ଆମ ରାଜ୍ୟର ୩ ମୁଖ୍ୟମନ୍ତ୍ରୀ ଏବଂ ବହୁ ମନ୍ତ୍ରୀ ପରିଭ୍ରମଣରେ ଆସି ଥିବା ହସ୍ପିଟାଲ ପକ୍ଷରୁ ଦାବୀ କରା ଯାଇଛି I ଯାହାକି ଭିଜିଟର୍ସ ରେଜିଷ୍ଟରରେ ଥିବା ଦେଖା ଦେଇଛି I ମୂର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲର ଚିକିତ୍ସା ମାଧ୍ୟମରେ ବହୁ ଦୁଃସାଧ୍ୟ ରୋଗୀ ଆରୋଗ୍ୟ ହୋଇ ଥିବା ଅଞ୍ଚଳର ବରିଷ୍ଠ ନାଗରିକ ପ୍ରକାଶ କରିଛନ୍ତି I ଏହା ସହ ପ୍ରଥମେ ଶବ ବ୍ୟବଚ୍ଛେଦ ଗୃହ ମଧ୍ୟ ସ୍ଥାପିତ କରା ଯାଇ ଥିଲା I ତେଣୁ ସମସ୍ତେ ଏକତ୍ରିତ ହୋଇ ମୂର୍ସହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲକୁ ପୁନଃରୁଦ୍ଧାର କରିବା ସକାଶେ ଉଦ୍ୟମ କରିବା ଆବଶ୍ୟକ ବୋଲି ସଂଖ୍ୟା ଲଘୁ ସମ୍ପ୍ରଦାୟର ସ୍ଥାନୀୟ ନେତା ଆମୋଦ ଚନ୍ଦ୍ର ନାୟକ ଏବଂ ଫୁଲବାଣୀ ଡାୟୋସିସର ପୂର୍ବତ୍ତନ ବିଶୋପ ବାଞ୍ଛାନିଧି ନାୟକ ମତପ୍ରକାଶ କରିଛନ୍ତି I ମୂର୍ସହେଡ ମେମୋରିଆଲ ହସ୍ପିଟାଲର ଅତୀତ ଇତିହାସ ସମସ୍ତ ଜନସାଧରଣଙ୍କ ହୃଦୟରେ ବଞ୍ଚି ରହିଛି ଏବଂ ବଞ୍ଚି ରହିବ ବୋଲି ସଚେତନ ନାଗରିକ ଅବଦୁଲ ବାରି ପ୍ରତିକ୍ରିୟା ଦେଇ ଛନ୍ତି I

Related news

Skip to toolbar